ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ସୋମବାର ଚିକିତ୍ସା କ୍ଷେତ୍ର ପାଇଁ ଦୁଇ ଜଣଙ୍କୁ ଯୁଗ୍ମ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ । ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ସେମାନଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି ।
ନୋବେଲ ଆସେମ୍ବ୍ଲି ପକ୍ଷରୁ କୁହାଯାଇଛି ଯେ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ ବିଭିନ୍ନ ସେଲ୍ ପ୍ରକାରର ବିକାଶ କ୍ଷେତ୍ରରେ ଅନୁସନ୍ଧାନ ଜାରି ରଖିଥିଲେ । ଉଭୟ ଏକ କ୍ଷୁଦ୍ର ରାଇବୋନ୍ୟିକ୍ଲିକ ଏସିଡ (RNA) ମୋଲେକୁଲ୍ସର ନୂତନ ଶ୍ରେଣୀ microRNA ଆବିଷ୍କାର କରିଥିଲେ । ଏହି microRNA ଜିନ୍ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଆବିଷ୍କାର ଚିକିତ୍ସା କ୍ଷେତ୍ର ପାଇଁ ଅତୁଳନୀୟ ଅବଦାନ ଅଟେ । microRNA ଆବିଷ୍କାର ଜିନ୍ ନିୟନ୍ତ୍ରଣ ପାଇଁ ନୂଆ ପଥ ଦେଇଥିଲା, ଯାହା ମାନବ ସମେତ ବହୁ କୋଷୀୟ ଜୀବ ପାଇଁ ଜରୁରୀ ପ୍ରମାଣିତ ହୋଇଥିଲା ବୋଲି ନୋବେଲ ଆସେମ୍ବଲି କହିଛି।
ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର ଯଥା ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତିରେ ଉତ୍କୃଷ୍ଟତା ପାଇଁ ନୋବେଲ ପୁରସ୍କାର ଦିଆଯାଏ । ସ୍ୱିଡେନର ରସାୟନବିତ୍ ଏବଂ ବୈଜ୍ଞାନିକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି । ଡିସେମ୍ବର ୧୦ରେ ଆଲଫ୍ରେଡ ନୋବେଲଙ୍କ ତିରୋଧାନ ଦିନ ଅବସରରେ ନୋବେଲ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।