ନୂଆଦିଲ୍ଲୀ: ବାଂଲାଦେଶ ରାଜଧାନୀ ଢାକାସ୍ଥିତ ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଶନିବାର ଅପରାହ୍ନ ପ୍ରାୟ ସାଢ଼େ ଦୁଇଟା ସମୟରେ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ନିଆଁ ଲାଗିଛି । ଫଳରେ ବିମାନ ଉଡ଼ାଣ ସ୍ଥଗିତ ରଖାଯାଇଛି । କାର୍ଗୋ ଟର୍ମିନାଲରେ ବିଭିନ୍ନ ସ୍ଥାନରୁ ଆସିଥିବା ସାମଗ୍ରୀ ରଖାଯାଇଥାଏ ।
ବିମାନବନ୍ଦରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୋହମ୍ମଦ ମସୁଦ୍ଦୁଲଲ ହସନ ମସୁଦ ବାଂଲାଦେଶ ଗଣମାଧ୍ୟମକୁ ଦେଇଥିବା ରିପୋର୍ଟ ଅନୁସାରେ, ଟର୍ମିନାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବାଂଲାଦେଶ ନାଗରିକ ଉଡ଼ାଣ ପ୍ରାଧିକରଣ, ଅଗ୍ନିଶମ ସେବା ଏବଂ ବାୟୁସେନା ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ନିଆଁ ଏତେ ଭୟଙ୍କର ଯେ ଚାରିଆଡ଼େ ଖାଲି କଳାଧୂଆଁ ହିଁ ଦିଶୁଛି । ନିଆଁ ଲିଭା କାର୍ଯ୍ୟରେ 28 ୟୁନିଟ୍ ଗାଡ଼ି ଲାଗିଛି । ବିମାନବନ୍ଦରରେ ସମସ୍ତ ବିମାନର ଉଡ଼ାଣ ଏବଂ ଆଗମନକୁ ବାତିଲ କରାଯାଇଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ ।