ରୋମ: ଇଟାଲିର ଉପକୂଳ ଠାରୁ ଅଳ୍ପ ଦୂରରେ ସୋମବାର ୨ଟି ଜାହାଜ ବୁଡ଼ିଯାଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ କରିଛି। ଏହି ଖବର ଆସିବା ପରେ ଭୂମଧ୍ୟ ସାଗରରେ ଇଟାଲିର ତଟରକ୍ଷୀ ବାହିନୀ ସୋମବାର ବିଳମ୍ବିତ ରାତିଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦକ୍ଷିଣ ଇଟାଲିର କୈଲାବ୍ରିୟାର ଉପକୂଳ ଠାରୁ ୧୯୩ କିଲୋମିଟର ଦୂରରେ ଫସିଥିବା ଜାହାଜକୁ ଦେଖି ଏକ ମାର୍ଚେଣ୍ଟ ଜାହାଜ ସର୍ବପ୍ରଥମେ ଏସ୍ଓଏସ୍ କଲ କରିଥିଲେ, ଏହା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିଲା।
ମାଚେଣ୍ଟ ଜାହାଜ ୧୨ ଲୋକଙ୍କୁ ଉଦ୍ଧାର କରିଥିଲା ଏବଂ ଇଟାଲିର ତଟରକ୍ଷୀ ବାହିନୀ ଜାହାଜ ଆସିବା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥିଲା। ତଟରକ୍ଷୀ ବାହିନୀର କହିବା ଅନୁସାରେ ଜଣେ ମହିଳାଙ୍କ ଜାହାଜରୁ ଓହ୍ଲାଇବା ମାତ୍ରେ ମୃତ୍ୟୁ ହୋଇଥିଲା। କାରଣ ସେ ଜଣେ ରୋଗୀ ଥିଲେ। ତଟରକ୍ଷୀ ବାହିନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଜାହାଜ ବୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଉଦ୍ଧାର ପ୍ରକ୍ରିୟାରେ ମେଡିକାଲ ଟିମ୍ ମଧ୍ୟ ସାମିଲ ହେବେ। ତେବେ ସୋମବାର ବିଳମ୍ବିତ ରାତି ଯାଏଁ ନିଖୋଜ ବ୍ୟକ୍ତିମାନଙ୍କର ପତ୍ତା ମିଳିନାହିଁ। ଏହି ଜହାଜରେ ଅଧିକାଂଶ ଯାତ୍ରୀ ପାକିସ୍ତାନ ଓ ବାଂଲାଦେଶର ନାଗରିକ ଥିଲେ ବୋଲି କୁହାଯାଉଛି।