ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚି ଯାଇଛି । ଏବେ ଏହି ସଂଘର୍ଷର ଧୂଆଁ ୟୁରୋପରେ ଦେଖିବାକୁ ମିଳିଛି । ବୁଧବାର ଡେନମାର୍କର ରାଜଧାନୀ କୋପେନହେଗନର ଉତ୍ତର ବାହ୍ୟ ଅଞ୍ଚଳରେ ସ୍ଥିତ ଇସ୍ରାଏଲର ଦୂତାବାସ ନିକଟରେ ଦୁଇଟି ବିସ୍ଫୋରଣ ହୋଇଛି । ଡେନମାର୍କ ପୋଲିସ ଘଟଣାସ୍ଥଳରେ ସୁରକ୍ଷା କଡାକଡି କରିବା ସହିତ ଯାଞ୍ଚ ଆରମ୍ଭ କରି ଦେଇଛି ।
ଏହି ଘଟଣା ବିଷୟରେ ସୂଚନା ଦେଇ କୋପେନହେଗନ ପୋଲିସ କହିଛି ଯେ, ଏହି ବିସ୍ଫୋରଣରେ କେହ ଆହତ ହୋଇ ନାହାନ୍ତି । ଘଟଣାର ତଦନ୍ତ ଜାରି ରହିଛି । ତେବେ ଇସ୍ରାଏଲ ଦୂତାବାସ ପକ୍ଷରୁ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ । ଏହି ବିସ୍ଫୋରଣ ସେହି ସମୟରେ ହୋଇଛି, ଯେତେବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ହିଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାଙ୍କ ହତ୍ୟାର ଜବାବରେ ଇରାନ ମଙ୍ଗଳବାର ଇସ୍ରାଏଲ ଉପରେ ପାଖାପାଖି ୨୦୦ ମିସାଇଲ ଆକ୍ରମଣ କରିଛି ।
ଅନ୍ୟପଟେ ଇରାନ ପାଖାପାଖି ୨୦୦ ମିସାଇଲ ମାଡ କରିବା ପରେ ବି ଆକ୍ରମଣାତ୍ମକ ମୋଡରେ ରହିଛି । ଇରାନର ସେନା ମୁଖ୍ୟ ଜେନେରାଲ ମହମ୍ମଦ ବାଘେରୀ ଇସ୍ରାଏଲକୁ ଧମକ ଦେଇଛନ୍ତି, ଯଦି ଇସ୍ରାଏଲ ପ୍ରତିଜବାବ ଦିଏ ତେବେ ତାକୁ ଭୟାବହ ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲର ପ୍ରତିଟି ଠିକଣାରେ ଆକ୍ରମଣ କରାଯିବ । ଇରାନ ସ୍ପଷ୍ଟ ଶବ୍ଦରେ କହିଛି ଯେ, ଇସ୍ରାଏଲର ପ୍ରତିଟି କୋଣରେ ଏବେ ହମଲା କରାଯିବ । ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ ତେବେ ଇସ୍ରାଏଲର ପ୍ରତିଟି ଅଞ୍ଚଳରେ ମିସାଇଲ ବର୍ଷା ହେବ ।