ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ବାଣିଜ୍ୟ ଏବଂ ଆରବ ଉପସାଗରୀୟ (ଗଲ୍ଫ) ଦେଶଗୁଡ଼ିକୁ ନେଇ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛନ୍ତି। ପୂର୍ବରୁ ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ତୈଳ ବାହୀ ଜାହାଜ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଯେଉଁ ଚେତାବନୀ ଦେଇଥିଲେ, ସେଥିରୁ ସେ ଏବେ ଓହରି ଯାଇଛନ୍ତି। ଏହି କାରବାରରେ ଏକ ନୂଆ ବୁଝାମଣା ହୋଇଛି, ଯାହା ଅଧୀନରେ ସମ୍ପୃକ୍ତ ଉପସାଗରୀୟ ଦେଶ ଶୁଳ୍କ ଦେବା ପରିବର୍ତ୍ତେ ସିଧାସଳଖ ଆମେରିକାରେ ବଡ଼ ଧରଣର ଆର୍ଥିକ ନିବେଶ କରିବେ।
କାହିଁକି ଆଭିମୁଖ୍ୟ ବଦଳାଇଲେ ଟ୍ରମ୍ପ ?
ବାସ୍ତବରେ, ହରମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ମଧ୍ୟରୁ ଏକ, ଯେଉଁଠାରୁ ସାରା ବିଶ୍ୱକୁ ପ୍ରାୟ ୨୦% ଅଶୋଧିତ ତୈଳ ଯୋଗାଣ ହୋଇଥାଏ। ଟ୍ରମ୍ପ ପ୍ରଥମେ ଆମେରିକାର ସୁରକ୍ଷା ବ୍ୟବସ୍ଥା ବଦଳରେ ଏହି ରୁଟ୍ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ କହିଥିଲେ, ଯାହାକୁ ନେଇ ଆନ୍ତର୍ଜାତୀୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଗଲ୍ଫ ଦେଶଗୁଡ଼ିକ ଆମେରିକାକୁ ଶୁଳ୍କ ଆକାରରେ ଟଙ୍କା ନଦେଇ, ସେହି ଅର୍ଥକୁ ଆମେରିକାର ବିଭିନ୍ନ ପ୍ରକଳ୍ପ, ଶିଳ୍ପ ଏବଂ ଭିତ୍ତିଭୂମି ବିକାଶରେ ବିନିଯୋଗ କରିବେ। ଏହି ନିଷ୍ପତ୍ତି ଦ୍ୱାରା ଆମେରିକା ଭିତରକୁ ବିପୁଳ ପରିମାଣର ବିଦେଶୀ ପୁଞ୍ଜି ପ୍ରବେଶ କରିବ, ଯାହା ସେଠାକାର ଅର୍ଥନୀତି ଓ ରୋଜଗାର ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବ।
ବିଶ୍ୱ ବଜାର ଉପରେ ପ୍ରଭାବ
ଟ୍ରମ୍ପଙ୍କ ଏହି ନୂଆ ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ଏକ ବଡ଼ ଆଶ୍ୱସ୍ତି ଦେଖିବାକୁ ମିଳିଛି। ଯଦି ୨୦% ଶୁଳ୍କ ଲାଗିଥାନ୍ତା, ତେବେ ସାରା ବିଶ୍ୱରେ ବିଶେଷ କରି ଭାରତ ଭଳି ତୈଳ ଆମଦାନୀକାରୀ ଦେଶଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥାନ୍ତା। ଟ୍ରମ୍ପଙ୍କ ଏହି ରଣନୀତିକ ପରିବର୍ତ୍ତନ ଏବେ ଆମେରିକାକୁ ଆର୍ଥିକ ଫାଇଦା ଦେବା ସହ ବିଶ୍ୱ ତୈଳ ବଜାରକୁ ମଧ୍ୟ ସ୍ଥିର ରଖିବାରେ ସହାୟକ ହେବ।