ପପୁଆ ନିୟୁ ଗିନିରେ ଉପୁଜିଥିବା ଜନଜାତି ସଂଘର୍ଷ ଯୋଗୁ ୬୦ରୁ ଅଧିକ ପ୍ରାଣହାନୀ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାକାର ଏକ ପାହାଡ଼ୀ ପ୍ରଦେଶ ଏନ୍ଗାରେ ଅତର୍କିତ ଗୁଳି ମାଡ଼ରେ ୬୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ‘ବିବିସି’ ରିପୋର୍ଟ କରିଛି। ଧନ ଓ ଜମିବାଡ଼ି କାରଣରୁ ଏଭଳି ସଂଘର୍ଷ ଘଟୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ପପୁଆ ନ୍ୟୁ ଗିନିରେ କିଛି ମାସ ହେଲା ଜାତିଆଣ ବିବାଦକୁ ନେଇ ବାରମ୍ବାର ହିଂସାତ୍ମକ ଘଟୁଛି । ରବିବାରଦିନ ଏହି ହିଂସା ଉଗ୍ରରୂପ ନେଇ ଓ୍ୱାପେନାମାଣ୍ଡା ଜିଲ୍ଲାର ଏଙ୍ଗା ଅଞ୍ଚଳରେ ଆମ୍ବୁଲିନ ଓ ସିକିନ ୨ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚରମ ରୂପ ନେଇଛି । ତେବେ ଏନ୍ଗା ପ୍ରଦେଶରେ ଗତ ସପ୍ତାହରୁ ତୀବ୍ର ହୋଇଥିବା ଜନଜାତି ସଂଘର୍ଷ ସମୟରେ ଗୁଳିକାଣ୍ଡ ଘଟି ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ସହ ଅନେକ ସଂଖ୍ୟକ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ପାହାଡ଼ି ଅଞ୍ଚଳରେ ଦୀର୍ଘ ଦିନରୁ ଜନଜାତି ସଂଘର୍ଷ ଚାଲି ଆସୁଥିଲେ ବି ଗତ କିଛି ବର୍ଷ ହେବ ଏକକାଳୀନ ଏତେ ସଂଖ୍ୟକ ଲୋକ ନିହତ ହୋଇ ନ ଥିଲେ। ରୟାଲ୍ ପପୁଆ ନିୟୁ ଗିନି କନ୍ଷ୍ଟାବୁଲାରି ଆକ୍ଟିଙ୍ଗ୍ ସୁପରିଣ୍ଟେଣ୍ଡେଣ୍ଟ୍ ଜର୍ଜ କାକାସ୍ କହିଛନ୍ତି, "ଏନ୍ଗା ତଥା ସମଗ୍ର ପାହାଡ଼ି ଇଲାକାରେ ମୁଁ ଏଯାବତ୍ ଦେଖିଥିବା ନରସଂହାର ମଧ୍ୟରୁ ଏହା ସବୁଠୁ ଅଧିକ।"
ଏନ୍ଗାକୁ ବହୁ ପରିମାଣର ବେଆଇନ ଆଗ୍ନେୟାସ୍ତ୍ର ଆସୁଥିବାରୁ ସଂଘର୍ଷ ଦିନକୁ ଦିନ ଅତି ଭୟାନକ ହେଉଛି। ତେବେ ପୋଲିସ ଦ୍ୱାରା ରାଜଧାନୀ ପୋର୍ଟ ମୋର୍ସବାଏର ଉତ୍ତରପଶ୍ଚିମକୁ ପ୍ରାୟ ୬୦୦ କିଲୋମିଟର ଦୂର ୱାବାଗ୍ ସହର ନିକଟରେ ଘଟିଥିବା ସଂଘର୍ଷସ୍ଥଳରୁ ଶବ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଘଟଣାକୁ ନେଇ ଚିନ୍ତାପ୍ରକଟ କରି ପପୁଆ ନ୍ୟୁ ଗିନିକୁ ସାହାଯ୍ୟ କରିବା ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ରହିଥିବା କହିଛନ୍ତି । ଦେଶର ସୁରକ୍ଷା ପାଇଁ ଅଷ୍ଟ୍ରେଲିଆରୁ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ପଠାଯିବା ନେଇ ସେ କହିଛନ୍ତି।
ଅଧିକ ପଢନ୍ତୁ: ଜୁଆ ଆଡ୍ଡ଼ା ଚଢ଼ଉ ବେଳେ ମହିଳା IICଙ୍କୁ ମାଡ଼; ୨୦ ଅଟକ