ନୂଆଦିଲ୍ଲୀ: ନାସାର ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମସନ ଓ ବୁଚ୍ ୱିଲମୋରଙ୍କୁ ମହାକାଶକୁ ନେଇ ଯାଇଥିବା ସ୍ପେସକ୍ରାଫ୍ଟ ପୃଥିବୀ ପୃଷ୍ଠକୁ ଫେରି ଆସିଛି। ଚଳିତ ବର୍ଷ ଜୁନ ପ୍ରଥମ ସପ୍ତାହରେ ବୋଇଙ୍ଗ ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ସୁନୀତା ଓ ବୁଚଙ୍କୁ ନେଇ ଅନ୍ତରୀକ୍ଷ ଯାତ୍ରା କରିଥିଲା । ଏହା ପରେ ବୈଷେୟିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀ ପୃଥିବୀକୁ ଫେରି ପାରି ନ ଥିଲେ । କିନ୍ତୁ ଏବେ ଏହି ସ୍ପେସକ୍ରାଫ୍ଟ ମହାକାଶଚାରୀଙ୍କ ବିନା ପୃଥିବୀକୁ ଫେରି ଆସିଛି ।
ନାସାର ମହାକାଶଚାରୀ ସୁନୀତା ୱିଲିୟମସନ ଓ ବୁଚ ୱିଲମର ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବେ । ଷ୍ଟାରଲାଇନର ସେପ୍ଟେମ୍ବର ୬ ତାରିଖ ବିଳମ୍ବିତ ରାତ୍ରିରେ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ଉଡାଣ ଭରିଥିଲା । ଆଉ ଆଜି ଅର୍ଥାତ ସେପ୍ଟେମ୍ବର ୭ ସକାଳେ ପୃଥିବୀ ପୃଷ୍ଠକୁ ଫେରି ଆସିଛି । ସମଗ୍ର ଦୁନିଆର ବୈଜ୍ଞାନିକଙ୍କ ନଜର ଏହି ମିଶନ ଉପରେ ରହିଛି ।
ସୂଚନା ମୁତାବକ ଭାରତୀୟ ସମୟ ଅନୁସାରେ ଆଜି ଭୋର ୩ଟା ୩୦ରେ ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ(ଆଇଏସଏସ)ରୁ ଅଲଗା ହୋଇଥିଲା । ପୁଣି ସକାଳ ୯ଟା ୩୨ରେ ଆମେରିକା ନ୍ୟୁ ମେକ୍ସିକୋର ହ୍ୱାଇଟ ସ୍ୟାଣ୍ଡ ସ୍ପେସ ହାର୍ବରରେ ଅବତରଣ କରିଛି ।
ସୂଚନାଯୋଗ୍ୟ, ଏହି ମିଶନ ୮ ଦିନର ଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଫେରିବାରେ ବିଳମ୍ବ ଘଟିଥିଲା । କିନ୍ତୁ ଏବେ ଏହି ସ୍ପେସକ୍ରାଫ୍ଟ ବିନା କ୍ରୁରେ ପୃଥିବୀକୁ ଫେରି ଆସିଛି । ସୁନୀତା ଓ ବୁଚ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରେ ରହିବେ । ଆସନ୍ତା ଫେବୃଆରୀରେ ସ୍ପେସଏକ୍ସ ଉଡାଣ ଜରିଆରେ ପୃଥିବୀକୁ ଫେରାଇ ଅଣାଯିବ ।