ବ୍ୟାଙ୍କକ୍: ଥାଇଲାଣ୍ଡରେ ସମଲିଙ୍ଗୀ ଦମ୍ପତି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ। ମଙ୍ଗଳବାର ରାଜା ମହା ବାଜିରାଲଙ୍ଗକୋର୍ଣ୍ଣଙ୍କ ଅନୁମୋଦନ ପରେ ସମଲିଙ୍ଗୀ ବିବାହ ଆଇନ ଏବେ ଆଇନରେ ପରିଣତ ହୋଇଛି। ଆସନ୍ତା ବର୍ଷ ଜାନୁଆରୀ ୨୨ ରୁ ଦେଶରେ ଏହି ଆଇନ ଲାଗୁ ହେବ।
ଏହି ଆଇନ ଲାଗୁ ହେବା ପରେ ଦେଶର ଯେ କୌଣସି ସମଲିଙ୍ଗୀ ଦମ୍ପତି ଆଇନଗତ ଭାବେ ନିଜର ବିବାହ ପଞ୍ଜୀକରଣ କରିପାରିବେ। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାରେ ଥାଇଲାଣ୍ଡ ଏସିଆର ତୃତୀୟ ଏବଂ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ପାଲଟିଛି।
ଗତ ଏପ୍ରିଲ ମାସରେ ଥାଇଲାଣ୍ଡ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଏବଂ ଜୁନ୍ ମାସରେ ସିନେଟ୍ରେ ଏହି ବିଲ୍ ପାରିତ ହୋଇଥିଲା। ଏବେ ରାଜାଙ୍କ ଅନୁମୋଦନ ପରେ ଏହା ଆଇନର ରୂପ ନେଇଛି। ଏହି ଆଇନରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି, ଆର୍ଥିକ ଏବଂ ଡାକ୍ତରୀ ଅଧିକାର ପ୍ରଦାନ କରାଯାଇଛି। ସମଲିଙ୍ଗୀ ଦମ୍ପତି ସନ୍ତାନ ଗ୍ରହଣ କରିବାରେ ସକ୍ଷମ ହେବେ। ସେମାନଙ୍କୁ ଉତ୍ତରାଧିକାର ଅଧିକାର ମଧ୍ୟ ମିଳିଛି। ସେହିପରି କାଗଜପତ୍ରରେ ଲିଙ୍ଗ ବଦଳରେ ଲିଙ୍ଗ ନିରପେକ୍ଷ ଶବ୍ଦ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ସ୍ଥାନରେ ଲିଙ୍ଗ ନିରପେକ୍ଷ ଶବ୍ଦ ବ୍ୟବହାର କରାଯିବ।
୨୦୨୧ରେ ନେଦରଲ୍ୟାଣ୍ଡ ପ୍ରଥମେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇଥିଲା। ବର୍ତ୍ତମାନ ବିଶ୍ୱର ୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ବିବାହକୁ ବୈଧତା ମିଳିଛି। ଯଦି ଆମେ ଏସିଆ ବିଷୟରେ କହିବା ତେବେ ତାଇୱାନ ଏବଂ ନେପାଳ ପରେ ଥାଇଲାଣ୍ଡ ତୃତୀୟ ଦେଶ ହୋଇଛି। ଏହି ଆଇନ ପ୍ରଣୟନ ହେବା ପରେ ଥାଇଲାଣ୍ଡରେ ସମଲିଙ୍ଗୀ ବିବାହ ଦାବି କରୁଥିବା ସାମାଜିକ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଜାନୁଆରି ୨୨ରୁ ଥାଇଲାଣ୍ଡରେ ଏହି ଆଇନ ଲାଗୁ ହେବ। ସେହିଦିନ ହଜାରେରୁ ଅଧିକ ସମଲିଙ୍ଗୀ ଦମ୍ପତିଙ୍କୁ ସାମୂହିକ ବିବାହ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ବ୍ୟାଙ୍କକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ଏକ ଦଶନ୍ଧି ଧରି ଥାଇଲାଣ୍ଡରେ ଏଲଜିବିଟିକ୍ୟୁ ସମ୍ପ୍ରଦାୟ ଏହି ଲଢେଇ ଲଢୁଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ମହିଳାଙ୍କ ପ୍ରେମରେ ପଡ଼ିଲେ କଶ୍ମୀରୀ ଯୁବକ