ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ଼ ଧମକ ଦେଇଛନ୍ତି। ଟ୍ରମ୍ପ ସୋମବାର କହିଛନ୍ତି, ଯଦି ୫୦ ଦିନ ମଧ୍ୟରେ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ରୁଷ ଉପରେ କଠୋର ଶୁଳ୍କ ଲାଗୁ କରାଯିବ।
ଟ୍ରମ୍ପ କହିଛନ୍ତି ଏଥର ଆମେରିକା ରୁଷ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବ। ସେ ହ୍ୱାଇଟ୍ ହାଉସରେ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ସହିତ ଓଭାଲ୍ ଅଫିସ ବୈଠକ ସମୟରେ ଏହି ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, "ମୁଁ ଅନେକ କ୍ଷେତ୍ରରେ କାରବାରକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଏହା ଯୁଦ୍ଧ ସମାପ୍ତ କରିବାରେ ଭଲ ପ୍ରମାଣିତ ହୋଇପାରେ। ମୁଁ ପୁଟିନଙ୍କୁ ହତ୍ୟାକାରୀ କହିବାକୁ ଚାହୁଁନାହିଁ, କିନ୍ତୁ ସେ ଜଣେ କଠୋର ବ୍ୟକ୍ତି। ୟୁକ୍ରେନ ସହ ଯୁଦ୍ଧକୁ ସମାପ୍ତ କରିବାକୁ ଚାହୁଁ ନାହାନ୍ତି।
ଟ୍ରମ୍ପ କହିଛନ୍ତି, "ମୁଁ ରାଷ୍ଟ୍ରପତି ପୁଟିନଙ୍କ ପ୍ରତି ନିରାଶ କାରଣ ମୁଁ ଭାବିଥିଲି ଆମେରିକା ଓ ରୁଷ ଦୁଇ ମାସ ପୂର୍ବରୁ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିରେ ପହଞ୍ଚିବେ। ମୁଁ ଭାବୁଥିଲି ପୁଟିନ ଯାହା କୁହନ୍ତି ତାହା କରନ୍ତି। ସେ ଏତେ ସୁନ୍ଦର କଥା କୁହନ୍ତି ଏବଂ ତା'ପରେ ରାତିରେ ଲୋକଙ୍କ ଉପରେ ବୋମା ଫୋପାଡ଼ନ୍ତି। ଟ୍ରମ୍ପ ପୂର୍ବରୁ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ନାଟୋ ସଚିବ ଜେନେରାଲଙ୍କ ସହ ବୈଠକରେ ଟ୍ରମ୍ପ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବିଷୟରେ ଅବଗତ କରାଇଥିଲେ। ସେ କହିଛନ୍ତି ଯେ ନାଟୋ ଆମେରିକାରୁ କୋଟି କୋଟି ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର କିଣିବ, ଯାହାକୁ ୟୁକ୍ରେନକୁ ଯୋଗାଇ ଦିଆଯିବ। ଯଦି ଆଗାମୀ ଦିନରେ ରୁଷ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାରେ କୌଣସି ବଳିଷ୍ଠ ପଦକ୍ଷେପ ନ ନିଏ ତେବେ ରୁଷ ବିରୋଧରେ ଆମେରିକା ଉଚ୍ଚହାରର ଶୁଳ୍କ ଲଗାଇବ।