ବିମାନ ସମ୍ପର୍କୀୟ ଘଟଣା ଦିନ କୁ ଦିନ ସାମ୍ନାକୁ ଆସୁଛି । କେତେବେଳେ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାବାଟରୁ ଫେରିଆସୁଛି ତ ପୁଣି କେତେବେଳେ ଯାତ୍ରୀଙ୍କୁ ବିମାନ ଛାଡି ପଳାଉଛି । ସୂଚନା ଅନୁସାରେ, ସାଉଦିଆରବରେ ଘଟିଛି ଏକ ଅଭାବନୀୟ ଘଟଣା । ଏ ଘଟଣା ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟଚକିତ ହେବ । ଘଟଣାଟି ହେଉଛି, ସାଉଦିଆରବ ଏୟାରଲାଇନ୍ସର ଏକ ବିମାନ ଶହେରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ବିମାନଟି ଉଡାଣ ଭରିଥିଲା । ଯାହାଫଳରେ ଯାତ୍ରୀମାନେ ରାତିସାରା ବିମାନ ବନ୍ଦରରେ ଅନିଦ୍ରା ହୋଇ ବିମାନକୁ ଅପେକ୍ଷା କରିଥିଲେ । କିନ୍ତୁ ବିମାନ ଟି ଉଡାଣ ଭରିସାରିଥିଲା ।
ଶନିବାର ରାତି ପ୍ରାୟ ୮ଟା ୨୫ ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ସବୁ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ତା ପରେ ବିମାନଟି ରାତି ପ୍ରାୟ ୧୧ଟାରେ ବିମାନ ଠିକ ହୋଇସାରିବା ପରେ କେବଳ କାନଡା ଓ ଆମେରିକାକୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ଆଉ ଅନ୍ୟ ଯାତ୍ରୀମାନେ ବିମାନବନ୍ଦରରେ ବିମାନକୁ ଅପେକ୍ଷା କରିରହିଥିଲେ । ବହୁ ସମୟ ଅପେକ୍ଷା ପରେ ଯାତ୍ରୀମାନେ ସମସ୍ୟା ବିଷୟରେ ଜାଣି ବିମାନବନ୍ଦରରେ ପାଟିତୁଣ୍ଡ ଆରମ୍ଭ କରିଥିଲେ । ପରେ ଯାତ୍ରୀମାନଙ୍କୁ ପାଖ ହୋଟେଲରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଯାତ୍ରୀମାନେ ବିମାନ କର୍ତ୍ତୃପକ୍ଷଙ୍କ ଏଭଳି ଅସାବଧାନତା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । କେତେକ ଯାତ୍ରୀମାନଙ୍କର ଭିସାର ସମୟ ସୀମା ମଧ୍ୟ ସରିଯିବାକୁ ବସିଛି ତ ପୁଣି କେତେ ଯାତ୍ରୀ ସୋମବାର ଅଫିସରେ ଉପସ୍ଥିତ ହୋଇପାରିନଥିବା ଅଭିଯୋଗ ଆଣିଛନ୍ତି । ଯଦି ଯାତ୍ରୀମାନେ ସୋମବାର ଅଫିସରେ ନ ପହଞ୍ଚିବେ ତେବେ ଯାତ୍ରୀମାନଙ୍କର ଚାକିରି ଯିବାର ଆଶଙ୍କା ଅଛି ବୋଲି ଯାତ୍ରୀମାନେ କହିଛନ୍ତି । ବିମାନ ବାତିଲ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ଦେଇନଥିବା ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।
ଆଗକୁ ପଢ଼ନ୍ତୁ : ଚୀନ୍ ସହିତ ସହଯୋଗୀ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ କିମ ଜୋଙ୍ଗ ଉନ୍ ଶପଥ ନେଇଛନ୍ତି