ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ହିଜବୁଲ୍ଲାର ନେତା ହସନ ନସରଲ୍ଲାର ନିହତ ପରେ ଆୟୋଜିତ ପ୍ରାର୍ଥନା ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ତାଙ୍କ ହାତରେ ରୁଷ ନିର୍ମିତ ଡ୍ରାଗୁନୋଭ ରାଇଫଲ ରହିଥିଲା । ଖାମେନେଇ ହଜାର ସଂଖ୍ୟକ ସମର୍ଥକଙ୍କୁ ଉପଦେଶ ଦେଇ ମୁସଲମାନଙ୍କୁ ଏକଜୁଟ ହୋଇ ଅଧିକ ଶକ୍ତିଶାଳୀ ହେବାକୁ ଅପିଲ୍ କରିଛନ୍ତି ।
ସେ କହିଛନ୍ତି, ଇରାନ ଇସ୍ରାଏଲର ଆକ୍ରମଣ ସାମ୍ନାରେ ତିଳେ ମଧ୍ୟ ପଛକୁ ହଟିବ ନାହିଁ । ଖାମେନେଇ ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଆମ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିବ ନାହିଁ । ମୁସଲମାନମାନଙ୍କୁ ନିଜର ସୁରକ୍ଷାକୁ ମଜବୁତ କରିବାକୁ ପଡିବ । ଇସ୍ରାଏଲକୁ ତାରି ଭାଷାରେ ଜବାବ ଦେବାକୁ ପଡିବ । ଏହା ସହିତ ଇସ୍ରାଏଲ ଉପରେ ପୁଣି ଥରେ ଆକ୍ରମଣ କରାଯିବା ବୋଲି ଖାମେନେଇ ପଣ କରିଛନ୍ତି ।
ଖାମେନେଇ କହିଛନ୍ତି, ସୈୟଦ ହସନ ନସରଲ୍ଲା ଏବେ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ତାଙ୍କ ପ୍ରଦର୍ଶିତ ମାର୍ଗ ଓ ଉପଦେଶ ଆମ ସହିତ ସର୍ବଦା ରହିଥିବ । ସେ ଉତ୍ପୀଡକଙ୍କ ମୁଖର ସ୍ୱର ଓ ବାହାଦୂର ସମର୍ଥକ ଥିଲେ । ଇରାନର ଯିଏ ଶତ୍ରୁ ସେ ପାଲେଷ୍ଟାଇନ, ଲେବାନନ, ଇରାକ, ଇଜିପ୍ଟ, ସିରିୟା ଓ ୟମନର ମଧ୍ୟ ଶତ୍ରୁ ।
ଉଲ୍ଲେଖନୀୟ ଗତକାଲି ଇସ୍ରାଏଲର ଆକ୍ରମଣରେ ନିହତ ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାକୁ ଅସ୍ଥାୟୀ ଭାବେ କବର ଦିଆଯାଇଛି । ଇସ୍ରାଏଲର ଆକ୍ରମଣ ଭୟରେ ସାର୍ବଜନୀନ ଭାବେ ନସରଲ୍ଲାକୁ ବିଦାୟ ମଧ୍ୟ ଦେଇ ପାରିନି ଲେବାନନ । ହସନ ନସରଲ୍ଲାର ମୃତଦେହକୁ ଏକ ଗୁପ୍ତ ସ୍ଥାନରେ ପୋତା ଯାଇଛି । ସଂଗଠନକୁ ଡର ଥିଲା ଯେ, ଯଦି ସାର୍ବଜନୀନ ସ୍ଥାନରେ କବର ଦିଆଯାଇଥାନ୍ତା ତେବେ ଇସ୍ରାଏଲ ଏହି ଅନ୍ତିମ ସଂସ୍କାରରେ ସାମିଲ ଲୋକଙ୍କୁ ଟାର୍ଗେଟ୍ କରିଥାନ୍ତା ।