ରୁଷର ଏକ ସାମରିକ ପରିବହନ ବିମାନ ୟୁକ୍ରେନ ସୀମାଠାରୁ କିଛି ଦୂରରେ ବେଲଗୋରୋଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୭୪ ଜଣଙ୍କ ମୃତ୍ୟୁ ହୋଇଛି ।ପାଇଲଟଙ୍କ ସମେତ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ ୬୦ରୁ ଅଧିକ ୟୁକ୍ରେନ ଯୁଦ୍ଧବନ୍ଦୀ ଥିଲେ । ସେମାନଙ୍କୁ ପ୍ରତ୍ୟର୍ପଣ କରାଯିବା ପାଇଁ ବିମାନରେ ନିଆଯାଉଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇନି । ବିମାନଟି କ୍ରାସ ହୋଇ ଜଳିଯିବାର ଦୃଶ୍ୟ ଦେଖିବାକୁ ମିଳିଛି।
ସ୍ଥାନୀୟ ଋଷୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ,ବିମାନରେ ୬୫ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ସମେତ ମୋଟ ୭୪ ଜଣ ଥିଲେ ଏବଂ ସମସ୍ତଙ୍କର ମୃତ୍ୟୁ ହୋଇଥିବା ରୁଷ୍ ସାମରିକ ବିଭାଗ ପ୍ରକାଶ କରିଛି। କ୍ରାସ ହୋଇଥିବା ଏହି ବିମାନଟି ଋଷ ବାୟୁସେନାର ବିଶାଳ ପରିବହନ ବିମାନ Il-76 ବର୍ଗର ଥିଲା । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୟୁକ୍ରେନ ସେନା ଏହି ବିମାନକୁ ଏସ୍-୩୦୦ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ରୁଷ୍ ଦାବି କରିଥିବା ବେଳେ ଏହା ପଛରେ ରୁଷ୍ର ଷଡ଼ଯନ୍ତ୍ର ଥାଇପାରେ ବୋଲି ୟୁକ୍ରେନ କହିଛି। ଗତକାଲି ବିମାନ ଦୁର୍ଘଟଣାର ଶିକାର ହେବାପରେ ଏହାର କିଛି ଘଣ୍ଟା ପରେ ଉଭୟ ରାଷ୍ଟ୍ର ବୟାନ ଜାରି କରି ପରସ୍ପରକୁ ଦାୟୀ କରିଛନ୍ତି। ଏହି ଯୁଦ୍ଧବନ୍ଦୀମାନଙ୍କୁ ବିଭିନ୍ନ ଅଞ୍ଚଳରୁ ରୁଷ୍ ସୈନିକମାନେ କାବୁ କରିଥିଲେ ଏବଂ ସେମାନଙ୍କୁ ରୁଷ୍ର ଏକ ସାମରିକ ଘାଟିକୁ ନିଆଯାଉଥିଲା। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସାମରିକ ପରିବହନ ବମାନ ଇଲ୍ୟୁସିନ-୭୬ରେ ଥିବା ୭୪ ଜଣଙ୍କ ମୃତ୍ୟୁ ପାଇଁ ୟୁକ୍ରେନ ଦାୟୀ ଏବଂ ୟୁକ୍ରେନ୍ ନିଜ ସୈନିକଙ୍କୁ ଟାର୍ଗେଟ୍ କରି ବିମାନ ଉଡ଼ାଇ ଦେଇଛି। ସୂଚନାଯୋଗ୍ୟ, ବେଲଗୋରଡ ୟୁକ୍ରେନ୍ ସୀମାକୁ ଲାଗିଥିବା ବେଳେ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଲଗାତାର କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି।
ବର୍ଷ 2022 ରେ ଆରମ୍ଭ ହୋଇଥିବା ଋଷ ଓ ୟୁକ୍ରେନ ମଧ୍ୟରେ ଏହି ଯୁଦ୍ଧ ଏବେ ସାମାନ୍ୟ ଶିଥିଳ ପଡିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ପଶ୍ଚିମ ରାଷ୍ଟ୍ରମାନଙ୍କ ସହଯୋଗରେ ୟୁକ୍ରେନ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଋଷ ସେନାର ମୁକାବିଲା ଅଦ୍ୟାବଧି ଜାରି ରଖିଛି।ଏକାଧିକ ପର୍ଯ୍ୟାୟର ଶାନ୍ତି ଆଲୋଚନା ମଧ୍ୟ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିନାହିଁ । ଏବେ ଏହି ବିମାନ ଦୁର୍ଘଟଣା ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ବଢାଇବା ପରି ଆଶଙ୍କା ସୃଷ୍ଟି କରିଛି ।
ଅଧିକ ପଢନ୍ତୁ : ଏସିଆ ଓ ଇଣ୍ଡିଆ ବୁକରେ ସ୍ଥାନ ପାଇଲା ରାଉରକେଲା