ଗତ ୨୨ରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ପ୍ରତିଷ୍ଠିତ ହେଲେ ରାମଲାଲା। ପରିଶେଷରେ ଜିତିଗଲା ସମଗ୍ର ହିନ୍ଦୁ ଜାତିର ୫୦୦ ବର୍ଷର ତ୍ୟାଗ ଓ ବଳିଦାନ। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ସ୍ଥାନ ଜୟ ଶ୍ରୀରାମ ଧ୍ୱନି ତଥା ମନ୍ତ୍ର ଓ ହୁଳହୁଳୀରେ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଉରକେଲାରେ ଥିବା ଏକ ସ୍ବେଚ୍ଛାସେବୀ ସଂଗଠନ ‘ସ୍ମାଇଲ୍ ଫରଏଭର ଫାଉଣ୍ଡେସନ୍’ ତରଫରୁ ଏକ ବିଶାଳ ମାଟି ଦୀପ ଆଲୋକିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା।
‘ସ୍ମାଇଲ୍ ଫରଏଭର ଫାଉଣ୍ଡେସନ୍’ ପକ୍ଷରୁ ତିଆରି ହୋଇଥିବା ଏହି ମାଟି ଦୀପ କୋଲକାତାର ଶମ୍ଭୁ ପ୍ରଜାପତିଙ୍କ ନେତୃତ୍ୱରେ ନଅ ଜଣିଆ କାରିଗରଙ୍କ ଏକ ଟିମ୍ ଦ୍ୱାରା ନିର୍ମିତ ଏହି ବିଶାଳ ମାଟି ଦୀପ ନିର୍ମାଣ ଡିସେମ୍ବର ୨୬ରେ ଆରମ୍ଭ ହୋଇଥିଲା। ଏହି ଦୀପର ୨୦ ଫୁଟ ବ୍ୟାସ ବିଶିଷ୍ଟ ଏବଂ ଉଚ୍ଚତା ୫ ଫୁଟ ବିଶିଷ୍ଟ ହୋଇଥିବା ବେଳେ ଏହା ପ୍ରାୟ ୭,୦୦୦ ଲିଟର ଘିଅକୁ ଧରି ରଖିବାରେ ସକ୍ଷମ ହୋଇଥିଲା। ଦୀପ ପାଇଁ ୧୫ ମିଟର ଲମ୍ବା ବିଶିଷ୍ଟ ସଳିତା କଟକରୁ ଅଣାଯାଇଥିଲା।
ଏହି ବିଶାଳକାୟ ଦୀପ ପାଇଁ ରାଉରକେଲା ସହରର ସ୍ମାଇଲ ଫୋର ଏଭର ଫାଉଣ୍ଡେସନକୁ ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି, ଯାହା ସମ୍ପୂର୍ଣ୍ଣ ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ଗତ ୨୨ରେ ରାଉରକେଲା ସହରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଦୀପ ପ୍ରସ୍ତୁତ କରାଯାଇ ପ୍ରାଣ ପ୍ରତିଷ୍ଠା ଦିନ ଅପରାହ୍ନ ୫.୩୦ ସମୟରେ ରାଉରକେଲାର ହନୁମାନ ବାଟିକା ଠାରେ ଦୀପ ପ୍ରଜ୍ୱଳିତ ହୋଇଥିଲା। ରାମଲାଲାଙ୍କ ପାଇଁ ଉତ୍ସର୍ଗୀକୃତ ସମାରୋହ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ଦୀପକୁ ଇସ୍ପାତ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସ୍ଥାନୀୟ ଅଂଚଳକୁ ନିଆଯାଇଥିଲା। ଏହି ବିଶାଳକାୟ ଦୀପ ଆସନ୍ତା ୪୩ ଦିନ ପର୍ଯ୍ୟନ୍ତ ରାଉରକେଲା ସହରର ହନୁମାନ ବାଟିକାରେ ପ୍ରଜ୍ଵଳନ ହେବ। । ତେବେ ଏହି ବିଶାଳ ଦୀପକୁ ଆୟୋଜକ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରିଥିବା ବେଳେ ଏହା ଏସିଆ ମହାଦେଶର ସବୁଠାରୁ ବଡ଼ ଦୀପ ଭାବରେ ଏବଂ ଭାରତ ଦେଶର ମଧ୍ୟ ସବୁଠାରୁ ବଡ଼ ଦୀପ ଭାବରେ ପରିଗଣିତ ହୋଇଛି । ଏନେଇ ସ୍ମାଇଲ ଫରଏଭର ଫାଉଣ୍ଡେସନକୁ ପ୍ରମାଣ ପତ୍ର ମିଳିଛି । ଏହି ପରିପ୍ରେକ୍ଷୀରେ ସ୍ପାଇଲ୍ ଫର ଏଭର ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ‘‘ଏହା ରାଉରକେଲାବାସୀଙ୍କ ଶ୍ରେୟ । ଯେହେତୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ଏହା ସ୍ଥାନ ପାଇଛି ଏହାକୁ ରାଉରକେଲା ବାସୀଙ୍କୁ ଏବଂ ପ୍ରଭୁ ରାମଙ୍କୁ ସମର୍ପଣ କରାଗଲା।’’
ଅଧିକ ପଢନ୍ତୁ : ଆଜି ମହୋଦଧି ଆଳତୀର ୧୮ତମ ବାର୍ଷିକ ଉତ୍ସବ