ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଆମେରିକା ଗସ୍ତରେ ଗୁରୁବାର ଟେସଲା ସିଇଓ ଏଲନ ମସ୍କଙ୍କୁ ୱାଶିଂଟନ ଡିସିର ବ୍ଲେୟର ହାଉସରେ ଭେଟିଛନ୍ତି । ମସ୍କ ନିଜ ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏହ ମହତ୍ୱପୂର୍ଣ୍ଣ ସାକ୍ଷାତ ପରେ ପିଏମ ମୋଦୀ କହିଛନ୍ତି ଯେ, ମସ୍କଙ୍କ ସହିତ ସାକ୍ଷାତ ବେଶ ଭଲ ରହିଛି । ଆମେ ଅନ୍ତରୀକ୍ଷ, ଗତିଶୀଳତା, ପ୍ରଦୌଗିକି ଓ ନବାଚାର ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲୁ । ମସ୍କଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଖୋଦ୍ ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି ।
ପିଏମ ମୋଦୀ ମସ୍କଙ୍କୁ ଭେଟିବା ପୂର୍ବରୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ୍ ୱାଲଟଜଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଏହି ବୈଠକ ପରେ ପିଏମ ମୋଦୀ ଏକ୍ସରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ବୈଠକ ସଫଳ ରହିଛି । ଆମେରିକା ସର୍ବଦା ଭାରତ ଭଲ ମିତ୍ର ହୋଇ ରହିଛି । ବୈଠକରେ ପ୍ରତିରକ୍ଷା, ପ୍ରଦୌଗିକି, ଭାରତ-ଆମେରିକା ସଂପର୍କ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଆମେରିକା ଯାତ୍ରାରେ ରିପବ୍ଲିକନ ନେତା ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ରାମାସ୍ୱାମୀ ଟ୍ରମ୍ପଙ୍କ ଘନିଷ୍ଠ ସମର୍ଥକ । ତେବେ ଆମେରିକା ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗର୍ବାଡଙ୍କ ସହ ସାକ୍ଷାତ କରିଥିଲେ । ଦୁଇ ନେତା ଆତଙ୍କବାଦ ବିରୋଧରେ ଗୁଇନ୍ଦା ସହଯୋଗ ଓ ଆସନ୍ନ ବିପଦର ମୁକାବିଲାର ଶୈଳୀ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।