ଫେବୃଆରୀ ୮ ତାରିଖ ତଥା ଗୁରୁବାର ଦିନ ପାକିସ୍ତାନ ସାଧାରଣ ନିର୍ବାଚନ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ରେ ଶେଷ ହେବାକୁ ଥିବା ବେଳେ ବ୍ୟାପକ ହିଂସା ଘଟଣା ମଧ୍ୟରେ ପାକିସ୍ତାନରେ ଚାଲିଛି ଭୋଟ୍ ଗ୍ରହଣ । ତେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ମତଦାନ କରି ଆଗାମୀ ୫ ବର୍ଷ ପାଇଁ ମନ ପସନ୍ଦର ନେତାଙ୍କୁ ବାଛିବେ ଜନତା । ଦେଶର ୨୪୧ ମଲିୟନ ଜନସଂଖ୍ୟା ମଧ୍ୟରୁ ୧୨୮ ମିଲିୟନ ଭୋଟର ଆଜି ମତଦାନ କରୁଛନ୍ତି। ନିର୍ବାଚନୀ ମଇଦାନରେ ୪୪ ଦଳର ୫୧୨୧ ପ୍ରାର୍ଥୀ ରହିଥିବା ବେଳେ ୨୬୬ ଆସନ ପାଇଁ ମତଦାନ ହେଉଛି। ସେଥିମଧ୍ୟରୁ ୬୦ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୦ ଜଣ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି ।
ନିର୍ବାଚନ ପୂର୍ବରୁ ହିଂସା ଘଟଣା ଘଟିଥିବାରୁ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏକ 'କଣ୍ଟ୍ରୋଲ୍ ରୁମ୍' ସ୍ଥାପନ କରାଯାଇଛି। ପାକିସ୍ତାନର ମୁସଲିମ ଲିଗର ନଓ୍ବାଜ ସରିଫ, ପିପୁଲ୍ସ ପାର୍ଟିର ବିଲାୱଲ ଭୁଟ୍ଟୋଙ୍କ ଏବଂ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ, ନୱାଜ ସରିଫଙ୍କ ଦଳ ସୁବିଧାଜନକ ସ୍ଥିତିରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଇମ୍ରାନଙ୍କ ଦଳର ନେତାଙ୍କୁ ପ୍ରଚାର ପ୍ରସାର କରିବାକୁ ସୁଯୋଗ ବି ଦିଆଯାଇନଥିବା ବେଳେ ବିଲାୱଲ୍ ଭୁଟ୍ଟୋ ବି ସେପରି ଏତେଟା ଉତ୍ସାହିତ ନାହାନ୍ତି । ଅପରପକ୍ଷେ ସେନାର ଅଦୃଶ୍ୟ ସମର୍ଥନ ନୱାଜ୍ ସରିଫଙ୍କ ସହିତ ରହିଛି। ନୱାଜଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଓ ମାମଲା ହଠାତ୍ ଗତବର୍ଷ ଉଭେଇ ବି ଯାଇଛି। ତେଣୁ ନୱାଜ୍ ସରିଫ୍ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଏକରକମ ହେବା ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ: ଫେସ୍ବୁକ୍’କୁ ପୁରିଲା ୨୦ ବର୍ଷ