ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନ ପ୍ରଥମ ଥର ସ୍ୱୀକାର କରିଛି ଯେ, ନୂଆ ଭାରତ ଏକ ବିପଦ ଶାଖା। ସଂଯୁକ୍ତ ରାଷ୍ଟ୍ରର ସ୍ଥାୟୀ ରାଜଦୂତ ମୁନୀର ଆକରମ ଅନ୍ତର୍ଜାତୀୟ ମଂଚରେ ପୁଣି ଥରେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ‘ନୂଆ ଭାରତ ଆପଣଙ୍କ ଘରକୁ ଆସେ ଓ ଆପଣଙ୍କୁ ମାରିବାକୁ ପଛାଏ ନାହିଁ।
ଆକରମ ବିଗତ ଦିନରେ ଆମେରିକୀୟ ଦୈନିକରେ ପ୍ରକାଶିତ ରିପୋର୍ଟ ଆଧାରରେ ଟାର୍ଗେଟ କିଲିଂକୁ ନେଇ ଭାରତ ଉପରେ ନିଶାନା ସାଜିଛନ୍ତି । ସେ ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକାଣ୍ଡ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଭିତରକୁ ପ୍ରବେଶ କର ଟାର୍ଗେଟ କିଲିଂ ଘଟଣା ଘଟାଉଛି।
ଗତ ୨ ତାରିଖ ଦିନ ମହାସଭାକୁ ସଂବୋଧିତ କରି ଆକରମ କହିଥିଲେ, ପାକିସ୍ତାନର ବିଦେଶ ମନ୍ତ୍ରୀ ସୁରକ୍ଷା ପରିଷଦ, ମହାସଚିବ ଓ ମହାସଭାର ଅଧ୍ୟକ୍ଷଙ୍କୁ ପାକିସ୍ତାନରେ ଟାର୍ଗେଟ କିଲିଂର ଭାରତର ଅଭିଯାନ ସଂପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ଏଠାରେ ଆତଙ୍କବାଦୀ କେବଳ ପାକିସ୍ତାନ ପର୍ଯ୍ୟନ୍ତ ସୀମିତ ନୁହେଁ। କାନାଡା, ଆମେରିକା ଓ ସମ୍ଭବତଃ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହାର ପ୍ରୟାସ ଜାରି ରହିଛି।
ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଭାରତ ଉପରେ ଅଭିଯୋଗ ଆଣି ୱାଶିଂଗଟନ୍ ପୋଷ୍ଟକୁ ଉଦାହରଣ ଦେଇଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାଷଣକୁ ମନେ ପକାଇଥିଲେ। ସେ ଦାବି କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ- ଆଜି ଭାରତର ଶତ୍ରୁ ମଧ୍ୟ ଜାଣିଛନ୍ତି, ଏହା ମୋଦୀ। ଏହା ନୂଆ ଭାରତ। ଏହି ନୂଆ ଭାରତ ଆପଣଙ୍କ ଘରେ ପଶି ଆପଣଙ୍କୁ ମାରିପାରିବ । ୟୁଏନ୍ରେ ପାକିସ୍ତାନ ଅଭିଯୋଗ ଆଣିଛି, ନୂଆ ଭାରତ ବିପଦ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛିଦିନ ପୂର୍ବରୁ ପାକିସ୍ତାନ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ମହାରାଷ୍ଟ୍ରର ଲାତୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ କହିଥିଲେ, ‘ଆଜି ଭାରତ ଡୋଜିୟର ପଠାଉ ନାହିଁ। ଆଜି ଭାରତ ଆତଙ୍କବାଦୀମାନଙ୍କୁ ତାଙ୍କର ଘରେ ପଶି ନିପାତ କରୁଛି।’