ଆମ୍ମାନ୍: ବଶାର ଅଲ-ଅସଦ ଦେଶ ଛାଡ଼ି ପଳାଇଯିବା ପରେ ସିରିଆ ଉପରେ ଇସ୍ରାଏଲ ବଡ଼ଧରଣର ଆକ୍ରମଣ କରିଛ। ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ସିରିଆ ସେନାର ତିନୋଟି ପ୍ରମୁଖ ଏୟାରବେସ୍ ଟାର୍ଗେଟ ହୋଇଛି। ଏହି ବିସ୍ଫୋରଣରେ ଶତାଧିକ ହେଲିକପ୍ଟର ଓ ଜେଟ୍ ବିମାନ କ୍ଷତିଗ୍ରସ୍ତ ହୋଇଛି।
ଉତ୍ତର-ପୂର୍ବ ସିରିଆର କାମିଶଲି ଏୟାରବେସ୍, ହୋମ୍ସର ଗ୍ରାମାଞ୍ଚଳରେ ଥିବା ଶିନ୍ସାର ଏୟାରବେସ୍ ଏବଂ ରାଜଧାନୀ ଦମାସ୍କସ୍ର ଦକ୍ଷିଣ-ପଶ୍ଚିମରେ ଥିବା ଆକ୍ରାବା ଏୟାରବେସ୍କୁ ଟାର୍ଗେଟ୍ କରାଯାଇଛି। ଏହାବ୍ୟତୀତ ରାଜଧାନୀ ଦାମାସ୍କସ ଉପକଣ୍ଠରେ ଥିବା ଏକ ଗବେଷଣା କେନ୍ଦ୍ର ଏବଂ ସାଇଦା ଜୈନାବ ଅଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ ଯୁଦ୍ଧ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।
ଇସ୍ରାଏଲର ଅଧିକାରୀମାନେ ସୋମବାର କହିଛନ୍ତି ଯେ ଇସ୍ରାଏଲ ସିରିଆର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ୍ ବଢ଼ାଇବ ଏବଂ ଭୂମିରେ ସୀମିତ ସାମରିକ ଉପସ୍ଥିତି ବଜାୟ ରଖିବ, ଯାହା ଦ୍ୱାରା ବସର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସୃଷ୍ଟି ହେବାକୁ ଥିବା କୌଣସି ବିପଦକୁ ରୋକାଯାଇପାରିବ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ କାର୍ଯ୍ୟାଳୟରେ ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିରିଆରେ ନୂତନ ପରିସ୍ଥିତି ପରେ ଆମର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେବୁ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ସେନା ସମଗ୍ର ସିରିଆରେ ଭାରୀ ରଣନୈତିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିବ। ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର, ଏୟାର ଡିଫେନ୍ସ ସିଷ୍ଟମ, ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର, ଦୀର୍ଘ ଦୂରତା ବିଶିଷ୍ଟ ରକେଟ୍ ଏବଂ ଉପକୂଳ କ୍ଷେପଣାସ୍ତ୍ର ନଷ୍ଟ ହୋଇଯିବ।
ଅଧିକ ପଢ଼ନ୍ତୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ