ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୋମନାହଲ୍ଲୀ ମଲ୍ଲୈୟା କ୍ରିଷ୍ଣାଙ୍କ ପରଲୋକ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ଡିସେମ୍ବର ୯-୧୦ ତାରିଖ ରାତି ପ୍ରାୟ ସାଢ଼େ ୨ଟାରେ ବେଙ୍ଗାଲୁରୁର ସଦାଶିବନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ଏସଏମ କ୍ରିଷ୍ଣା ନିକଟରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବେଙ୍ଗାଲୁରୁସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ତାଙ୍କ ମୃତଦେହକୁ ମଦ୍ଦୁର ନିଆଯିବାର ସମ୍ଭାବନା ରହିଛି। କୃଷ୍ଣଙ୍କ ପରିବାରରେ ପତ୍ନୀ ପ୍ରେମା ଏବଂ ଦୁଇ ଝିଅ ଶାମ୍ଭବୀ ଓ ମାଳବିକା ଅଛନ୍ତି।
ଏସ୍ଏମ୍ କ୍ରିଷ୍ଣାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏସ୍ଏମ୍ କ୍ରିଷ୍ଣା ଜୀ ଜଣେ ଉଲ୍ଲେଖନୀୟ ନେତା ଥିଲେ, ଯାହାଙ୍କୁ ସବୁ ବର୍ଗର ଲୋକ ପ୍ରଶଂସା କରୁଥିଲେ। ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସର୍ବଦା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ, ବିଶେଷ କରି ଭିତ୍ତିଭୂମି ବିକାଶ ଉପରେ ତାଙ୍କର ଧ୍ୟାନ ପାଇଁ ତାଙ୍କୁ ସ୍ନେହର ସହ ସ୍ମରଣ କରାଯାଏ। ଶ୍ରୀ କ୍ରିଷ୍ଣା ଜୀ ମଧ୍ୟ ଜଣେ ଉତ୍କୃଷ୍ଟ ପାଠକ ଓ ଚିନ୍ତକ ଥିଲେ।
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ସୋମାନାହଲ୍ଲୀରେ ୧୯୩୨ ମସିହା ମଇ ପହିଲାରେ ଜନ୍ମଗ୍ରହଣ କରିଥିବା ଏସ୍ଏମ୍ କ୍ରିଷ୍ଣା ୧୯୬୨ ମସିହାରେ ମଦ୍ଦୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟୀ ହୋଇ ନିର୍ବାଚନ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ପ୍ରଜା ସୋଶାଲିଷ୍ଟ ପାର୍ଟି ସହ ଜଡ଼ିତ ଥିଲେ।
ପରେ ୨୦୧୭ ମାର୍ଚ୍ଚରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ କଂଗ୍ରେସ ସହ ତାଙ୍କର ପ୍ରାୟ ୫୦ ବର୍ଷର ସମ୍ପର୍କଶେଷ କରିଥିଲେ। ଜାନୁଆରୀ ୨୦୧୭ରେ ସେ କଂଗ୍ରେସରୁ ଇସ୍ତଫା ଦେବାକୁ ଘୋଷଣା କରି କହିଥିଲେ ଯେ ଦଳକୁ ବଡ଼ ନେତାଙ୍କ ଆବଶ୍ୟକତା ଅଛି କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। କୃଷ୍ଣା ଗତ ବର୍ଷ ଜାନୁଆରୀରେ ବୟସକୁ କାରଣ ଦର୍ଶାଇ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଘୋଷଣା କରିଥିଲେ। ୧୧ ଅକ୍ଟୋବର ୧୯ରୁ ୨୮ ମଇ ୨୦୦୪ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ୧୬ତମ ମୁଖ୍ୟମନ୍ତ୍ରୀ ଥିଲେ । ଏସଏମ କ୍ରିଷ୍ଣା ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ସରକାର ସମୟରେ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।
ଅଧିକ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଅଭିଯୋଗ