ଯେରୁସେଲମ: ଇସ୍ରାଏଲ ଗତ କିଛି ମାସ ହେବ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ଲେବାନନ ଅଧିକାରୀମାନେ ଶନିବାର କହିଛନ୍ତି ଯେ ପୂର୍ବଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଅନେକ ଶିଶୁଙ୍କ ସମେତ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଉପକୂଳସହର ଟାୟାରରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ପୂର୍ବରୁ ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଶୁକ୍ରବାର ଆକ୍ରମଣ ପୂର୍ବରୁ ଇସ୍ରାଏଲର ଜଣେ ସାମରିକ ମୁଖପାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୌଣସି ଆଦେଶ ଜାରି କରିନଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଆକ୍ରମଣ ପରେ ଉଦ୍ଧାର ହୋଇଥିବା ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ଚିହ୍ନଟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଡିଏନଏ ପରୀକ୍ଷା କରାଯିବ।
ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ନିକଟବର୍ତ୍ତୀ ସହରଗୁଡ଼ିକରେ ହୋଇଥିବା ଆକ୍ରମଣରେ ଶନିବାର ୧୩ ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ହିଜବୁଲ୍ଲା ଏବଂ ଏହାର ସହଯୋଗୀ ଅମାଲ ସହ ଜଡ଼ିତ ଉଦ୍ଧାରକାରୀ ଗୋଷ୍ଠୀର ୭ ଜଣ ଡାକ୍ତର ଅଛନ୍ତି। ବାଲବେକ୍ ଆଖପାଖ ପୂର୍ବ ସମତଳ ଅଞ୍ଚଳରେ ଶନିବାର ଇସ୍ରାଏଲ ର ଆକ୍ରମଣରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି।
ଇସ୍ରାଏଲ ସେନା କହିଛି ଯେ ସେମାନେ ଟାଇର ଏବଂ ବାଲବେକ୍ ଅଞ୍ଚଳରେ ଥିବା ହିଜବୁଲ୍ଲାର ଭିତ୍ତିଭୂମି ସ୍ଥାନ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଲଢୁଆ ବିମାନ, ଅପରେଶନାଲ ଆପାର୍ଟମେଣ୍ଟ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ରହିଛି। ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଗତ ବର୍ଷଠାରୁ ଲେବାନନରେ ଆକ୍ରମଣ କରୁଛି, ଯେଉଁଥିରେ ଅତି କମରେ ୩,୧୩୬ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୩,୯୭୯ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୧୯ ଜଣ ମହିଳା ଓ ୧୯୪ ଜଣ ଶିଶୁ ଅଛନ୍ତି।
ଇସ୍ରାଏଲ ୨୦୨୩ ଅକ୍ଟୋବରରୁ ଲେବନାନର ସଶସ୍ତ୍ର ସଙ୍ଗଠନ ହିଜବୁଲ୍ଲା ସହ ଲଢ଼େଇ ଜାରି ରଖିଛି। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲଢ଼େଇ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲ ନିଜର ଅଭିଯାନକୁ ଜୋରଦାର କରିଛି। ଏହାର ଜବାବରେ ହିଜବୁଲ୍ଲା ରକେଟ୍ ଏବଂ ଡ୍ରୋନ୍ ନିକ୍ଷେପ କରୁଛି ଏବଂ ଶନିବାର ତେଲ ଅବିଭର ଦକ୍ଷିଣରେ ଥିବା ଏକ ସାମରିକ କାରଖାନାକୁ ଟାର୍ଗେଟ କରି ୨୦ରୁ ଅଧିକ ଥର ଆକ୍ରମଣ କରିଛି।