ଯେରୁଜେଲମ: ଗାଜାରେ ଇସ୍ରାଏଲ ସେନା ଗର୍ଜିଛି। ଦକ୍ଷିଣ ଗାଜାପଟ୍ଟୀରେ ହମାସର ସେନା କମାଣ୍ଡରଙ୍କୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୯୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଜଣାପଡ଼ି ନାହିଁ ଯେ, ମୃତକମାନଙ୍କ ମଧ୍ୟରେ ମହମ୍ମଦ ଦୀଫ ଅଛନ୍ତି କି ନାହିଁ। କିନ୍ତୁ ଜଣେ ଇସ୍ରାଏଲ ଅଧିକାରୀ କହିଛନ୍ତି, ଦୀଫ ଓ ହମାସର ଜଣେ ଅନ୍ୟ କମାଣ୍ଡର ରଫା ସଲାମା ଟାର୍ଗେଟରେ ଥିଲେ। ଦୀଫଙ୍କୁ ଅକ୍ଟୋବର ୭ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିଲା, ଯିଏକି ଦକ୍ଷିଣ ଇସ୍ରାଏଲରେ ୧୨୦୦ ଲୋକଙ୍କୁ ମାରିଥିଲା।
ଦୀଫ ଦୀର୍ଘ ବର୍ଷ ହେଲା ଇସ୍ରାଏଲର କୁଖ୍ୟାତ ତାଲିକାରେ ସାମିଲ ଅଛି। ଏହା ପୂର୍ବରୁ କରାଯାଇଥିବା ଏକାଧିକ ଆକ୍ରମଣରେ ସେ ବର୍ତ୍ତି ଯାଇଥିଲା। ଦୀଫକୁ ନିହତ କରିବା ପାଇଁ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ସର୍ଚ୍ଚ ଅପରେଶନ ଜାରି ରଖିଛି। ପ୍ରତିଦିନ ଆକ୍ରମଣ କରୁଛି। ଏପରିକି ବିଦ୍ୟାଳୟ ଓ ଡାକ୍ତରଖାନାକୁ ମଧ୍ୟ ଇସ୍ରାଏଲର ସେନା ଟାର୍ଗେଟ କରୁଛନ୍ତି।
ହମାସ ଏକ ବୟାନରେ କହିଛି ଯେ, ଇସ୍ରାଏଲ ମିଛ କହୁଛି। ନରସଂହାର ଘଟଣା ଚପାଇବା ପାଇଁ ଇସ୍ରାଏଲ ଉଦ୍ୟମ କରୁଛି। ଯେଉଁ ଲୋକମାନେ ଜୀବନ ହାରିଛନ୍ତି, ସେମାନେ ସାଧାରଣ ଲୋକ। ଆକ୍ରମଣରେ ୩୦୦ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ସେନା ଦାବି କରିଛି ଯେ, ଅନେକ ଆତଙ୍କବାଦୀ ନାଗରିକ ଲୁଚି ରହିଛନ୍ତି।