କଲମ୍ବୋ, ମେ ୧୩ (ଖବର ଓଡ଼ିଶା): ରାନିଲ ବିକ୍ରମସିଂଘେ ପୁଣି ଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଶ୍ରୀଲଙ୍କାର ୨୨୫ ସଂସଦୀୟ ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ୟୁନାଇଟେଡ ନ୍ୟାଶନାଲ ପାର୍ଟି (ୟୁଏନ୍ପି)ର କେବଳ ଗୋଟିଏ ଆସନ ଅଛି । ଦେଶର ସର୍ବ ପୁରାତନ ପାର୍ଟି ୟୁଏନ୍ପି ୨୦୨୦ରେ ଗୋଟିଏ ଆସନରେ ମଧ୍ୟ ବିଜୟୀ ହୋଇପାରି ନଥିଲା । ୟୁଏନ୍ପିର ଗଡ଼ କୁହାଯାଉଥିବା କଲମ୍ବୋରୁ ବିକ୍ରମସିଂଘେ ନିର୍ବାଚନରେ ପରାଜିତ ହୋଇଥିଲେ । ପରେ ସେ କମ୍ୟୁଲେଟିଭ ନ୍ୟାଶନାଲ ଭୋଟ ଆଧାରରେ ୟୁଏନ୍ପିକୁ ଆବଣ୍ଟିତ ରାଷ୍ଟ୍ରୀୟ ତାଲିକା ମାଧ୍ୟମରେ ସଂସଦ ପହଞ୍ଚିଥିଲେ ।
ଶ୍ରୀଲଙ୍କାର ୪ଥର ପ୍ରଧାନମନ୍ତ୍ରୀ ହୋଇସାରିଥିବା ବିକ୍ରମସିଂଘେ ୨୦୧୮ରେ ତତକାଳୀନ ରାଷ୍ଟ୍ରପତି ମୈତ୍ରୀପାଲା ସିରୀସେନା ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ କ୍ଷମତାସୀନ ପୋଦୁଜାନା ପେରାମୁନା ବିରୋଧୀ ସମଗୀ ଜନ ବାଲାୱେଗାୟା ଓ ଅନ୍ୟ ଦଳ ସଂସଦରେ ବିକ୍ରମସିଂଘେଙ୍କ ବହୁମତ ପାଇଁ ନିଜର ସମର୍ଥନ ଜଣାଇଥିଲେ ।
ସୂଚନାଯୋଗ୍ୟ, ବିକ୍ରମସିଂଘେଙ୍କ ସାଥୀ ଥିବେ ସଜୀତ ପ୍ରେମଦାସା ପରେ ଭିନ୍ନ ହୋଇ ଅଲଗା ଦଳ ‘ଏସଜେବି’ ଗଠନ କରିଥିଲେ । ଏହି ଦଳ ସଂସଦରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲା । ୟୁଏନ୍ପିର ଅଧ୍ୟକ୍ଷ ଭି ଅବେୟୱରଦେନାଙ୍କ ବିଶ୍ୱାସ ଅନୁଯାୟୀ ବିକ୍ରମସିଂଘେଙ୍କ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଦିଆଯିବା ପରେ ସେ ବହୁମତ ହାସଲ କରିପାରିବେ ।
ବିକ୍ରମସିଂଘେ ଦୂରଦୃଷ୍ଟି ନୀତି ସହିତ ଅର୍ଥବ୍ୟବସ୍ଥା ସମ୍ଭାଳିବା ନେତା ଭାବରେ ଜଣାଶୁଣା । ସେ ଅନ୍ତର୍ଜାତୀୟ ସହଯୋଗ ହାସଲ କିରବାରେ ଜଣେ ସଫଳ ନେତା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବୁଧବାର ବିଳମ୍ବିତ ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ନିଜ ପଦ ଛାଡ଼ିବାକୁ ମନା କରିଥିଲେ । କିନ୍ତୁ ସେ ଚଳିତ ସପ୍ତାହ ମଧ୍ୟରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ଓ ଯୁବ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।