ନ୍ୟୁୟର୍କ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଭାରତର ୭୫ତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଆମେରିକାର ନ୍ୟୁୟର୍କସ୍ଥିତ ଐତିହାସିକ ଟାଇମ୍ସ ଛକରେ ତ୍ରିରଙ୍ଗା ଉଡିଛି । ଫେଡେରେଶନ ଅଫ ଇଣ୍ଡିଆନ ଆସୋସିଏଶନ-ନ୍ୟୁୟର୍କ ମେଟ୍ରୋପଲିଟାନ ଏରିଆ ଏବଂ ଇଣ୍ଡିଆନ ଫ୍ଲାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଇଣ୍ଡିଆନ କାଉନସୁଲେଟ ଜେନେରେଲ ରଣଧୀର ଜସୱାଲ ପତାକା ଉତ୍ତେଳନ କରିଥିଲେ । ଏହି ଅବସରରେ ନ୍ୟୁୟର୍କର ମେୟର ଏରିକ ଆଦାମସ ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଜଣାଶୁଣା ସଂଗୀତଜ୍ଞ ଦେବୀ ଶ୍ରୀ ପ୍ରସାଦ ଏବଂ ଶଙ୍କର ମହାଦେବନ ଉପସ୍ଥିତ ଥିଲେ ।
ଭାରତୀୟ କଣ୍ଠଶିଳ୍ପୀ ଓ ମ୍ୟୁଜିକ କମ୍ପୋଜର ଶଙ୍କର ମହାଦେବନ ଭାରତୀୟ ଦେଶାତ୍ମବୋଧକ ଗୀତ ‘ଏ ବତନ ମେରେ ଆୱାଦ ରହେ ତୁ’ ଗାଇଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବହୁ ସଂଖ୍ୟାରେ ଭାରତୀୟ ଲୋକ ଏକତ୍ର ହୋଇଥିଲେ । ହଡ଼ସନ ନଦୀ କୂଳରେ ତ୍ରିରଙ୍ଗା ପ୍ରଦର୍ଶିତ ହୋଇଥିଲା । ଭାରତୀୟମାନେ ମହୋତ୍ସବକୁ ଧୂମଧାମରେ ପାଳନ କରିଥିଲେ ।