ଟ୍ଵିଟରର ନୂଆ ମାଲିକ ଏଲନ ମସ୍କ ନିଜ ଜୀବନ ବିପଦରେ ଥିବା ନିଜେ ଏଲନ ମସ୍କ ଶନିବାର ଟ୍ଵିଟ୍ କରି ଦାବି କରିଛନ୍ତି । ତାଙ୍କର ଏହି ବୟାନ ସମସ୍ତଙ୍କୁ ଚକିତ କରିଛି। ଶନିବାର ଟ୍ଵିଟ୍ କରି ସେ ଦାବି କରିଛନ୍ତି ଯେ ତାଙ୍କ ସହିତ କିଛି ଦୁର୍ଘଟଣା ଘଟିପାରେ। କେହି ତାଙ୍କୁ ଗୁଳି କରି ପାରନ୍ତି। ତେଣୁ ନିଜ ଜୀବନ କୁ ବଞ୍ଚାଇବା ପାଇଁ ଖୋଲା କାରରେ ବୁଲନ୍ତି ନାହିଁ।
ଟ୍ଵିଟରର ସ୍ପେସରେ ପାଖାପାଖି ଦୁଇ ଘଣ୍ଟାର ପ୍ରଶ୍ନ ଉତ୍ତରର ଅଡିଓ ଚାଟରେ ଏଲନ ମସ୍କ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଟ୍ଵିଟର ସ୍ପେସରେ ଆଲୋଚନା ସମୟରେ ମସ୍କ ଟେସଲା ଏବଂ ସ୍ପେସଏକ୍ସରେ ଫ୍ରି ସ୍ପିଚର ମହତ୍ଵ ଏବଂ ଟ୍ଵିଟ୍ ପାଇଁ ନିଜର ଭବିଷ୍ୟତ ବିଷୟରେ ଆଲୋଚନା କରିଛନ୍ତି।
ସୂଚନା ଅନୁଯାୟୀ ମସ୍କ ଟ୍ଵିଟରର ମାଲିକ ହେବା ପରେ କମ୍ପାନିର ବଡ ଧରଣରେ କର୍ମଚାରୀଙ୍କ ଛଟେଇ କରିଛନ୍ତି। ତାଙ୍କୁ ସାମାଜିକ ଗଣମାଧ୍ୟମରେ ବି ବିରୋଧ ଏବଂ ସମାଲୋଚନାର ଶିକାର ହେବାକୁ ପଡିଛି। ଏପରିକି ନିଜ କମ୍ପାନିରେ ମଧ୍ୟ ମସ୍କଙ୍କୁ କର୍ମଚାରୀଙ୍କ ସମାଲୋଚନା ଶୁଣିବାକୁ ପଡିଥିଲା। ଏପରିକି ମସ୍କ କମ୍ପାନିର ମାହୋଲ ଖରାପ କରିଛନ୍ତି ବୋଲି ବିଦେଶୀ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା।