ଢାକା: ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକାର-ଉଜ୍-ଜମାନ ଦୁର୍ଗାପୂଜା ପୂର୍ବରୁ ହିନ୍ଦୁ ସମ୍ପ୍ରଦାୟକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବାଂଲାଦେଶୀ ହିନ୍ଦୁମାନଙ୍କର ସବୁଠାରୁ ବଡ଼ ପର୍ବ ଦୁର୍ଗାପୂଜା ଅବସରରେ ସେ ସମସ୍ତ ହିନ୍ଦୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ମହୋତ୍ସବ ଅନୁଷ୍ଠିତ ହେବ।
ଦୁର୍ଗାପୂଜା ପର୍ବ ପାଇଁ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଜେନେରାଲ ଜମାନ ଢାକାର ଧକେଶ୍ୱରୀ ମନ୍ଦିର ଗସ୍ତ ସମୟରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ସେ ମେଟ୍ରୋପଲିଟାନ ପୂଜା କମିଟି ଏବଂ ବାଂଲାଦେଶ ପୂଜା ଉତ୍ସବ ପରିଷଦର ସଭାପତିଙ୍କ ସମେତ ପ୍ରମୁଖ ଅଂଶୀଦାରଙ୍କ ସହ ଆଲୋଚନା କରିଥିଲେ।
ବାଂଲାଦେଶ ସେନା ମୁଖ୍ୟ କହିଛନ୍ତି ଯେ ଅନ୍ତରୀଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଂଲାଦେଶ ସେନା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖି ହିନ୍ଦୁ ପର୍ବ ଦୁର୍ଗାପୂଜା ପାଳନ ସମୟରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛି। ଏହା ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି।
ହିନ୍ଦୁ ଧର୍ମକୁ ଅନୁସରଣ କରୁଥିବା ପ୍ରତ୍ୟେକ ଭାରତୀୟ ବେଶ ଉତ୍ସାହ ଓ ଉତ୍ତମ ବାତାବରଣରେ ଶାରଦୀୟ ଦୁର୍ଗୋତ୍ସବ ପାଳନ କରିବେ ବୋଲି ସେନା ମୁଖ୍ୟ ଆଶା ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ଝୁଲା ସରକାର, କାହାକୁ ମିଳିବନି ସଂଖ୍ୟା ଗରିଷ୍ଠତା!