ଜୟପୁର: ଭାରତୀୟ ବାୟୁସେନାର 'ତରଙ୍ଗ ଶକ୍ତି-୨୦୨୪' ଅଭ୍ୟାସର ଦ୍ବିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ଅଷ୍ଟ୍ରେଲିଆର ରୟାଲ ଅଷ୍ଟ୍ରେଲୀୟ ବାୟୁସେନା ପ୍ରଥମ ଥର ପାଇଁ ଭାରତକୁ ଯୁଦ୍ଧ ବିମାନ ପଠାଇଛି। ଅଷ୍ଟ୍ରେଲିଆ ୬ ନମ୍ବର ସ୍କ୍ୱାର୍ଡନରୁ ୩ଟି ଇଏ-୧୮ ଜୀ ଗ୍ରୋଭର ବିମାନ, ୧୨୦ ଜଣ ଏୟାରମ୍ୟାନ ଏବଂ ଅନ୍ୟ କର୍ମଚାରୀଙ୍କୁ ଯୋଧପୁର ପଠାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନରେ ଦେଶର ଦ୍ୱିତୀୟ ପର୍ଯ୍ୟାୟ ବହୁପାକ୍ଷିକ ବିମାନ ସମରାଭ୍ୟାସ ଚାଲିଛି।
ଭାରତ ସହ ଆମେରିକା, ଅଷ୍ଟ୍ରେଲିଆ, ଗ୍ରୀସ୍, ଶ୍ରୀଲଙ୍କା, ୟୁଏଇ, ଜାପାନ ଓ ସିଙ୍ଗାପୁର ଅଂଶଗ୍ରହଣ କରୁଛନ୍ତି। ମଙ୍ଗଳବାର ସୁଖୋଇ ୩୦ ଏସକେଆଇ ସହ ଆମେରିକାର ଏ-୧୦ ଏବଂ ତେଜସ ସହ ଅଷ୍ଟ୍ରେଲିଆର ଇଏ୧୮ ନିଜର ଦକ୍ଷତା ଦେଖାଇଥିଲେ। ଅଷ୍ଟ୍ରେଲିଆର ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ବିବୃତି ଅନୁଯାୟୀ ରୟାଲ ଅଷ୍ଟ୍ରେଲୀୟ ବାୟୁସେନା 'ତରଙ୍ଗ ଶକ୍ତି' ଅଭ୍ୟାସରେ ଅଂଶଗ୍ରହଣ ପାଇଁ ଭାରତରେ ପ୍ରଥମ ଲଢୁଆ ବିମାନ ମୁତୟନ କରିଛି।
ଏହି ଅଭ୍ୟାସରେ ଭାରତୀୟ ବାୟୁସେନାର ରାଫେଲ, ସୁଖୋଇ, ମିରାଜ, ଜାଗୁଆର ଓ ତେଜସ୍, ଆମେରିକାର ଏ-୧୦ ଥଣ୍ଡରବୋଲ୍ଟ, ଗ୍ରୀସର ଏଫ୍-୧୬ ଫାଇଟିଂ ଫାଲ୍କନ୍, ଜାପାନର ମିତ୍ସୁବିସି ଏଫ୍-୨ ଭଳି ବିମାନ ଆକାଶରୁ ଆକାଶରେ ଓ ଆକାଶରୁ ସ୍ଥଳ ଅଭିଯାନରେ ଦକ୍ଷତା ପ୍ରଦର୍ଶନ କରୁଛନ୍ତି।
ଅଷ୍ଟ୍ରେଲିଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଷ୍ଟିଫେନ୍ ଚାପେଲ କହିଛନ୍ତି ଯେ ଭାରତ ଅଷ୍ଟ୍ରେଲିଆ ଏକ ଶୀର୍ଷସ୍ତରୀୟ ସୁରକ୍ଷା ସହଯୋଗୀ। ସରକାର ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀ ମାଧ୍ୟମରେ ପ୍ରୟୋଗବାଦ ଏବଂ ସହଯୋଗକୁ ପ୍ରାଥମିକତା ଦିଅନ୍ତି । ଏହି ଅଭ୍ୟାସରେ ଅଷ୍ଟ୍ରେଲିଆର ଅଂଶଗ୍ରହଣ ଉନ୍ନତ ଦକ୍ଷତା ପ୍ରଦର୍ଶନ ପାଇଁ ଅଟେ।
ଅଷ୍ଟ୍ରେଲିଆ ପ୍ରତିରକ୍ଷା ବିଭାଗ କହିଛି ଯେ ୨୦୧୮, ୨୦୨୨ ଏବଂ ୨୦୨୪ରେ ଅଭ୍ୟାସ ପିଚ୍ ବ୍ଲାକ୍ରେ ଭାରତୀୟ ବାୟୁସେନାର ଫ୍ଲାଙ୍କର୍ସ ଆୟୋଜନ ସମେତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବାୟୁ ପ୍ରତିରକ୍ଷା ସହଯୋଗର ଲାଭ ଉଠାଇଛି। ତାମିଲନାଡ଼ୁରେ ତରଙ୍ଗ ଶକ୍ତି ଅଭ୍ୟାସର ପ୍ରଥମ ପର୍ଯ୍ୟାୟ ଅଗଷ୍ଟରେ ଶେଷ ହୋଇଥିଲା। ଏଥିରେ ଜର୍ମାନୀ, ଫ୍ରାନ୍ସ, ସ୍ପେନ୍ ଓ ବ୍ରିଟେନର ବାୟୁସେନା ସାମିଲ ଥିଲେ।
ଅଧିକ ପଢ଼ନ୍ତୁ: ଲଗାଣ ବର୍ଷା ପାଇଁ ବିପର୍ଯ୍ୟୟ, ଘର ଛାଡ଼ିଲେ ୫୦ ପରିବାର