ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମଙ୍ଗଳବାର ରାତିରେ ଲଗାଣ ବର୍ଷା ପରେ ପୁଣି ଥରେ ବରୁଣବତ ପର୍ବତରେ ଭୂସ୍ଖଳନ ହୋଇଛି। ୪୫ ମିନିଟ୍ ମଧ୍ୟରେ ପାହାଡ଼ରୁ ୫ ଥର ଭୂସ୍ଖଳନ ହୋଇଥିଲା। ମସଜିଦ ମୋହଲ୍ଲା, ଜଳ ଅନୁଷ୍ଠାନ କଲୋନି ଓ ଗୋଫିଆରା ଅଞ୍ଚଳରେ ବିପୁଳ ପରିମାଣର ପଥର ଓ ଆବର୍ଜନା ପଡ଼ିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି।
ପାଖାପାଖି ୫୦ଟି ପରିବାର ଘର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଏହି ଘଟଣା ଜଣାପଡ଼ିବା ମାତ୍ରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସକ୍ରିୟ ହୋଇଉଠିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ, ଅତିରିକ୍ତ ଜିଲ୍ଲାପାଳ ରଜା ଆବାସ, ଉପଜିଲ୍ଲାପାଳ ବ୍ରିଜେଶ କୁମାର ତିୱାରୀ ତୁରନ୍ତ ଜିଲ୍ଲା ବିପର୍ଯ୍ୟୟସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବିପଦ ଆଶଙ୍କା କରି ପୁଲିସ ଭାଟୱାଡି ରୋଡରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟାତ ବନ୍ଦ ରଖିଛି।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ ଭୂସ୍ଖଳନରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଭୂସ୍ଖଳନ ଆଶଙ୍କାରେ ଥିବା ପରିବାର ଓ ସମ୍ପର୍କୀୟଙ୍କୁ ପଠାଯାଇଛି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ବିପଦକୁ ଦୃଷ୍ଟିରେ ରଖି ୫୦ ଟି ପରିବାରକୁ କୋଠା ଖାଲି କରିବାକୁ ପ୍ରଶାସନ ନୋଟିସ ଜାରି କରିଛି। ମଙ୍ଗଳବାର ମାତ୍ର ୯ଟି ପରିବାର କୋଠା ଖାଲି କରିବା ନେଇ ପ୍ରଶାସନକୁ ଜଣାଇଥିଲେ। କ୍ଷତିଗ୍ରସ୍ତ ପରିବାରଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ଧର୍ମଶାଳାରେ ୧୦ଟି ଲେଖାଏଁ କୋଠରୀର ବ୍ୟବସ୍ଥା କରାଯାଇଛି।
ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଗସ୍ତରେ ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ