ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା । ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି । FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି । ସୋସିଆଲ ମିଡିଆ ‘ଏକ୍ସ’ ରେ FBI ଏହି ସୂଚନା ଦେଇଛି । ତେବେ FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲଙ୍କ ନାମ ରହିଛି ।
ସୂଚନା ଅନୁଯାୟୀ, ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକା ଅନୁସାରେ ୨୧ବର୍ଷୀୟ ସ୍ତ୍ରୀକୁ ହତ୍ୟା କରିବା ପରେ ୨୦୧୫ ମସିହାରୁ ଭଦ୍ରେଶ ଫେରାର ରହିଛି । ଭଦ୍ରେଶକୁ ସେତେବେଳେ ୨୪ବର୍ଷ ବୟସ ହୋଇଥିଲା । ମେରିଲ୍ୟାଣ୍ଡ ହାନୋବରରେ ଥିବା ଏକ କଫି ସପ୍ ଭିତରେ ଭଦ୍ରେଶ ନିଜ ସ୍ତ୍ରୀ ପଲକ ପଟେଲକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲା । ଏହି ସମୟରେ ଗ୍ରାହକମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ରିପୋର୍ଟ ଅନୁସାରେ ହତ୍ୟାକାଣ୍ଡ ଘଟିବାର ମାସେ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଲଗାତାର ଝଗଡା ହେଉଥିବାରୁ ପଲକ ଭାରତକୁ ଫେରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରିଥିଲେ । ଫଳରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଭଦ୍ରେଶ ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଥିଲା । ଭଦ୍ରେଶ ପଟେଲଙ୍କୁ ଜଣେ ହତ୍ୟାକାରୀ ଓ ବିପଜ୍ଜନକ ଅପରାଧୀ ବୋଲି କହିଛି ଏଫବିଆଇ । ଭଦ୍ରେଶକୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।
ଅଧିକ ପଢ଼ନ୍ତୁ : ୭୬ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର