ଆମେରିକା ସରକାର ଆଉ ଅଳ୍ପ ଦିନ ମଧ୍ୟରେ ଶଟ୍ଡାଉନ୍ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେବେ ଏଥିରୁ ବର୍ତ୍ତିବା ପାଇଁ ଆଇନଜୀବୀ ମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଛି ଆମେରିକା କଂଗ୍ରେସରେ ଝଡ଼।
ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଆର୍ଥତ୍କ ବର୍ଷରେ ୧.୫୯ ଟ୍ରିଲିୟନ ଡଲାରର ଇଚ୍ଛାଧୀନ ବ୍ୟୟ ପାଇଁ ଡେମୋକ୍ରାଟିକ ସିନେଟର ଏବଂ ରିପବ୍ଲିକାନ୍ ହାଉସ୍ ସ୍ପିକର ମାଇକ୍ ଜନସନ ସହମତ ହୋଇଥିଲେ। କିନ୍ତୁ ଦୁଇମାସ ବିତିଯାଇଥିଲେ ମଧ୍ୟ ଆମେରିକା କଂଗ୍ରେସ କୌଣସି ନିଷ୍କର୍ଷରେ ପହଂଚିବାରେ ବିଫଳ ହୋଇଥିବାରୁ ତାହା ଏପର୍ଯ୍ୟନ୍ତ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ। ତେବେ ଏହିପରି ଅଚଳାବସ୍ଥା ଲାଗିରହିଲେ ସରକାରଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସୂଚନା ମିଳିଛି।
ଅପରପକ୍ଷରେ ଗୃହରେ ଅଚଳାବସ୍ଥା ଯୋଗୁ ରିପବ୍ଲିକାନ ଏବଂ ଡେମୋକ୍ରାଟ୍ମାନଙ୍କ ମଧ୍ୟରେ ବିବାଦ ବଢୁଥିବା ସମୟରେ ରିପବ୍ଲିକାନ୍ ର଼୍ୟାଙ୍କ ମଧ୍ୟରେ ଥିବା କଠୋରପନ୍ଥୀମାନେ ନିଜସ୍ବ ବିରୋଧୀ ଦଳ ଗଠନ କରି ସାରିଛନ୍ତି। ସିନେଟରେ ନିକଟରେ ୯୫ ବିଲିୟନ ଡଲାର ବିଦେଶ ସହାୟତା ବିଲ୍ ଗୃହୀତ ହୋଇଥିବାବେଳେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଏହା ଅଟକି ରହିଛି।
ଏହି ବିଲ୍ ଉପରେ ରକ୍ଷଣଶୀଳ ଖ୍ରୀଷ୍ଟିଆନ ସଦସ୍ୟମାନଙ୍କୁ ଭୋଟ ପାଇଁ ଅନୁମତି ଦିଆଗଲେ ସ୍ପିକର ପଦରୁ ଜନ୍ସନଙ୍କୁ ବହିଷ୍କାର କରିବା ନିମନ୍ତେ କଠୋରପନ୍ଥୀ ରିପବ୍ଲିକାନ୍ ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବାଇଡେନ୍ଙ୍କ ସମର୍ଥନରେ ବିଲ୍ଗୁଡ଼ିକୁ ଜନ୍ସନ ଅଟକାଉଥିବାରୁ ହ୍ବାଇଟ୍ହାଉସ୍ ରେ ତାଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସିନେଟ୍ର ସଂଖ୍ୟାଗରିଷ୍ଠ ନେତା ସୁମେର, ଜନସନ ଓ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଭେଟିବା ନିମନ୍ତେ ବାଇଡେନ୍ ଯୋଜନା କରିଛନ୍ତି। ତେବେ ୟୁକ୍ରେନ୍, ଇସ୍ରାଏଲ୍ ଏବଂ ତାଇଓ୍ବାନକୁ ସହାୟତା ଯୋଗାଇବା ଆମେରିକା ପାଇଁ ଜରୁରୀ ହୋଇଥିବାବେଳେ ରିପବ୍ଲିକାନ୍ ପାର୍ଟି ନିୟନ୍ତ୍ରଣରେ ଥିବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ସରକାର ଅସୁବିଧାରେ ପଡ଼ିଛନ୍ତି। ତେଣୁ ଏ ନେଇ ଆମେରିକା ସରକାର ଆଉ ଅଳ୍ପ ଦିନ ମଧ୍ୟରେ ଶଟ୍ଡାଉନ୍ର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳୁଛି।
ଅଧିକ ପଢନ୍ତୁ: ୬ ଦଫା ଦାବି ନେଇ ଲୋୟର ପିଏମଜିରେ ମତ୍ସଜୀବୀଙ୍କ ଆନ୍ଦୋଳନ