ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ସୀମାରେ ଉତ୍ତେଜନା ନୂଆ ମୋଡ ନେଇଛି । ପାକିସ୍ତାନୀ ବାୟୁସେନା ଦ୍ୱାରା ଆଫଗାନିସ୍ତାନର ପକ୍ତିକା ପ୍ରାନ୍ତରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅତି କମରେ ୧୦ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହା ପରେ ଦୁଇ ପକ୍ଷ କାତାର ରାଜଧାନୀ ଦୋହାରେ ଜରୁରୀକାଳୀନ ଶାନ୍ତି ଆଲୋଚନା ପାଇଁ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଏୟାରଷ୍ଟ୍ରାଇକରେ ତିନି ଆଫଗାନ କ୍ରିକେଟରଙ୍କ ମୃତ୍ୟୁ ଘଟିଛି ।
ଏବେ ତାଲିବାନ ସହ ଆଲୋଚନା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଓ ଗୁଇନ୍ଦା ପ୍ରମୁଖ ଜେନେରାଲ ଆସିମ ମଲିକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳକୁ ଦୋହା ପଠାଇଛନ୍ତି । ଅନ୍ୟପଟେ ଆଫଗାନ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ମୌଲବି ମହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳ ଶନିବାର ଦୋହା ପହଞ୍ଚିବେ ।
ଏହି ଘଟଣା ୪୮ ଘଣ୍ଟାର ଅସ୍ଥାୟୀ ଅସ୍ତ୍ରବିରତି ପରେ ହୋଇଛି । ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଅବଧି ସରିଥିଲା । ପୁଣି ଦୋହା ବାର୍ତ୍ତା ସମାପନ ପର୍ଯ୍ୟନ୍ତ ଏହି ଅବଧିକୁ ବଢାଇ ଦିଆଯାଇଥିଲା । ତାଲିବାନ ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି । ଅନ୍ୟପଟେ ପାକିସ୍ତାନର ଯୁକ୍ତି ଆମେ ଆଫଗାନିସ୍ତାନ ସଞ୍ଚାଳିତ ଆତଙ୍କୀ ଗୋଷ୍ଠୀ ବିଶେଷ କରି ଟିଟିପିର ଶିବିର ଉପରେ କରିଛୁ ।
ପାକିସ୍ତାନ-ଆଫଗାନିସ୍ତାନ ସୀମା ପାର ସଂଘର୍ଷର ଚେର ବହୁତ ଗଭୀର ରହିଛି । ମାତ୍ର ନିକଟରେ ଅକ୍ଟୋବର ୧୧ରେ ଏହି ସଂଘର୍ଷ ତେବେ ଉଗ୍ର ରୂପ ନେଲା ଯେବେ ଆଫଗାନ ବଳ କୁରମ ଜିଲ୍ଲାରେ ପାକିସ୍ତାନୀ ସୈନ୍ୟ ପୋଷ୍ଟ ଉପରେ ଗୁଳିମାଡ କରିଥିଲେ । ପାକିସ୍ତାନ ପାଲଟା ଜବାବ ଦେଇ ଆଫଗାନିସ୍ତାନର କାନ୍ଧାର ଓ ହେଲମନ୍ଦ ପ୍ରାନ୍ତରେ ଡ୍ରୋନ ହମଲା କରିଥିଲା । ଏଥିରେ ୧୯ ତାଲିବାନୀଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ଦାବି କରିଥିଲା । ତାଲିବାନ ଏହାକୁ ସୀମା ଉଲ୍ଲଂଘନ ଦର୍ଶାଇ ପାକିସ୍ତାନର ସୈନ୍ୟ ଆଡ୍ଡା ଉପରେ ହମଲା କରିଥିଲା । ଏଥିରେ ୫୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ତାଲିବାନ ଦାବି କରିଥିଲା ।
ପାକିସ୍ତାନୀ ସେନା ଅନୂଯାୟୀ, ସଂଘର୍ଷରେ ତାର ୨୩ ସୈନିକ ସହିଦ ହୋଇଛନ୍ତି । ଆମେରିକା ଅନୁଯାୟୀ, ଏ ପର୍ଯ୍ୟନ୍ତ ସଂଘର୍ଷରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୦ ଜଣ ଆହତ ହୋଇଛନ୍ତି । ଏହା ପରେ ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ତେବେ ଏହା ମଧ୍ୟରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିବାରୁ ସ୍ଥିତି ଆହୁରି ବିଗିଡିଛି ।
Also read: ୨୦ ତାରିଖରେ ସରକାରୀ ଛୁଟି, ନୂଆପଡ଼ା ବ୍ୟତୀତ ସବୁଠି ବ୍ୟାଙ୍କ ଓ କୋର୍ଟ ବନ୍ଦ