କାବୁଲ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍ ସ୍ପିନର ଆଫଗାନିସ୍ତାନର ରସିଦ ଖାନ୍ ବିବାହ କରିଛନ୍ତି। ୨୬ ବର୍ଷୀୟ ରସିଦ ୨୦୧୫ରେ ଆଫଗାନିସ୍ତାନ ପକ୍ଷରୁ ଡେବ୍ୟୁ କରିଥିଲେ। ଖୁବ୍ ଶୀଘ୍ର ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍ ସ୍ପିନର ହୋଇଥିଲେ। ରସିଦ ଜଣେ ଟି-୨୦ ଲିଗ୍ ଅଭିଜ୍ଞ ଏବଂ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରନ୍ତି।
ଆଫଗାନିସ୍ତାନର ପ୍ରସିଦ୍ଧ କ୍ରିକେଟର ରସିଦ ଖାନ ଅକ୍ଟୋବର ୩ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିବାହ କରିଛନ୍ତି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏହି ବିବାହଉତ୍ସବରେ ରସିଦ ପାରମ୍ପରିକ ପଶ୍ତୁନ ରୀତିନୀତି ଆପଣାଇଥିଲେ।
ତାଙ୍କ ସହିତ ତାଙ୍କର ତିନି ଭାଇ ଜାକିଉଲ୍ଲା, ନୁମାନ ଏବଂ ନସିମ ଖାନ୍ ମଧ୍ୟ ନିକାହ ପାଇଁ ସେହି ଦିନକୁ ବାଛିଥିଲେ, ଯାହା ସେମାନଙ୍କ ପରିବାର ପାଇଁ ଏକ ଡବଲ ସେଲିବ୍ରେସନ୍ ଥିଲା। ଏହି ବିବାହ କାବୁଲର ଇମ୍ପେରିଆଲ କଣ୍ଟିନେଣ୍ଟାଲ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଆଫଗାନିସ୍ତାନର ବରିଷ୍ଠ ଖେଳାଳି ମହମ୍ମଦ ନବୀ ଓ ଅଜମତୁଲ୍ଲା ଉମରଜାଇଙ୍କ ସମେତ ନଜିବୁଲ୍ଲା ଜାଦ୍ରାନ, ରହମତ ଶାହା ଓ ମୁଜିବ ତୁମର ରେହମାନଙ୍କ ଭଳି ଉଦୀୟମାନ ଖେଳାଳି ଯୋଗ ଦେଇଥିଲେ।
ଏକ ସାକ୍ଷାତକାରରେ ରସିଦ ଖାନଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ସେ କହିଥିଲେ ଯେ ଆଫଗାନିସ୍ତାନ ପାଇଁ ବିଶ୍ୱକପ୍ ଜିତିବା ପରେ ହିଁ ସେ ବିବାହ କରିବେ। କିନ୍ତୁ ଏବେ ସେମାନେ ବିବାହ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି।
ରସିଦ ଖାନ ଆଫଗାନିସ୍ତାନ ପକ୍ଷରୁ ୧୦୫ ଦିନିକିଆ, ୫ ଟେଷ୍ଟ ଓ ୯୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାମରେ ୩୭୬ ୱିକେଟ୍ ରହିଛି। ସେ ମଧ୍ୟ ବ୍ୟାଟ୍ ରେ ପାଖାପାଖି ଦୁଇ ହଜାର ରନ୍ କରିଛନ୍ତି।
ଅଧିକ ପଢ଼ନ୍ତୁ: ବିଶ୍ୱକପରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ଟିମ୍