ଦକ୍ଷିଣ ତୁର୍କୀର ଏକ ପର୍ବତ ଉପରେ କେବୁଲ କାରରେ ଫସି ରହିଥିବା ୧୭୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର କେବୁଲ କାର ଟ୍ରଲି ଏକ ଖୁଣ୍ଟି ସହିତ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ତୁର୍କୀର ମନ୍ତ୍ରୀ ଅଲି ୟେରିଲିକାୟା ଶନିବାର ଅପରାହ୍ନରେ X ରେ ପୋଷ୍ଟ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପନ ହୋଇଛି । ଦୁର୍ଘଟଣା ସ୍ଥାନରୁ ୧୭୪ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୦ ଟି ହେଲିକପ୍ଟର ଏବଂ ୬୦୭ ରୁ ଅଧିକ ଉଦ୍ଧାରକାରୀଙ୍କ ସହିତ ଉଦ୍ଧାର କାର୍ଯ୍ୟ ୨୩ ଘଣ୍ଟା ଧରି ଚାଲିଥିଲା | ଇଦ୍ ଛୁଟିଦିନରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଆଣ୍ଟାଲିଆ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି।
ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ରାତିସାରା ଜାରି ରହିଥିଲା। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଏକ ଟ୍ରଲି ଏକ ପୋଲକୁ ଧକ୍କା ଦେଇଥିଲା, ସେତେବେଳେ ଭିତରେ ବସିଥିବା ଲୋକମାନେ ତଳେ ପଡ଼ିଯିବା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତୁର୍କୀର ନାଗରିକ ବୋଲି ଚିହ୍ନଟ ହୋଇଛି। ତେବେ ଏହି ମାମଲାରେ କେବୁଲ କାର ଚଳାଉଥିବା ଘରୋଇ କମ୍ପାନୀର ଅଧିକାରୀଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ : ଇସ୍ରାଏଲର ଜାହାଜକୁ କବଜା କଲା ଇରାନ