କାଠମାଣ୍ଡୁ: ଆମ ପଡ଼ୋଶୀ ଦେଶ ନେପାଳରେ ପ୍ରବଳ ବର୍ଷା ଯୋଗୁଁ ସେଠାରେ ବନ୍ୟା ଓ ଭୂସ୍ଖଳନ ସମସ୍ୟା ଦେଖାଦେଇଛି। ଦେଶର ପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ନିଖୋଜ ଅଛନ୍ତି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଓ ଶନିବାର ପ୍ରବଳ ବର୍ଷା ପରେ କାଠମାଣ୍ଡୁର ମୁଖ୍ୟ ନଦୀ ବାଗମତୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି।
ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଋଷିରାମ ପୋଖରେଲଙ୍କ ସୂଚନା ଅନୁଯାୟୀ, ଦେଶରେ ବନ୍ୟା ଜନିତ ଘଟଣାରେ ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଜାରି ରହିଛି। ନେପାଳ ସେନା ସାରା ଦେଶରେ ଫସି ରହିଥିବା ୧୬୨ ଜଣଙ୍କୁ ଏୟାରଲିଫ୍ଟ କରିଛି। ଏହାବ୍ୟତୀତ ସେନା, ପୁଲିସ ଏବଂ ସଶସ୍ତ୍ର ପୁଲିସ ଫୋର୍ସ ଯବାନମାନେ ପ୍ରଭାବିତ ଅଞ୍ଚଳରୁ ୪,୦ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କୁ ଖାଦ୍ୟଶସ୍ୟ ସମେତ ସମସ୍ତ ଆବଶ୍ୟକୀୟ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।
ଋଷିରାମ ପୋଖରେଲ କହିଛନ୍ତି ଯେ ଭୂସ୍ଖଳନ ଏବଂ ଜଳବନ୍ଦୀ ଯୋଗୁଁ ଜାତୀୟ ରାଜପଥ ଅବରୋଧ ହେଉଛି। ଫଳରେ ଏଠାରେ ଶହ ଶହ ଲୋକ ଫସି ରହିଛନ୍ତି। ଅବରୋଧ ହୋଇଥିବା ଜାତୀୟ ରାଜପଥଗୁଡ଼ିକୁ ଖୋଲିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। କାଠମାଣ୍ଡୁକୁ ଅନ୍ୟ ଜିଲ୍ଲା ସହ ସଂଯୋଗ କରୁଥିବା ମୁଖ୍ୟ ସ୍ଥଳପଥ ତ୍ରିଭୁବନ ରାଜପଥରେ ଯାତାୟାତ ମଧ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କ କହିବା ନୁସାରେ ନେପାଳରେ ୩୨୨ଟି ଘର ଓ ୧୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି।
ନେପାଳରେ ପ୍ରଳୟଙ୍କରୀ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରୁଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କାଠମାଣ୍ଡୁ ଉପତ୍ୟକାରେ ୪୦-୪୫ ବର୍ଷ ମଧ୍ୟରେ ଏତେ ଭୟଙ୍କର ବନ୍ୟା ଏବଂ ଜଳବନ୍ଦୀ କେବେ ଦେଖିବାକୁ ମିଳିନାହିଁ। ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ ଡେଭଲପମେଣ୍ଟ (ଆଇସିଆଇଏମଓଡି)ର ଜଳବାୟୁ ଓ ପରିବେଶ ବିଶେଷଜ୍ଞ ଅରୁଣ ଭକ୍ତ ଶ୍ରେଷ୍ଠ କହିଛନ୍ତି, କାଠମାଣ୍ଡୁରେ ଏତେ ପରିମାଣର ବନ୍ୟା ମୁଁ କେବେ ଦେଖିନଥିଲି।
ଅଧିକ ପଢ଼ନ୍ତୁ: ଲେବନାନରେ ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ୍