ମୁମ୍ବାଇ: ପ୍ରଥମେ ନିଜେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କଲେ । ଆଉ ତାର କିଛି ସମୟ ପରେ ନିଜେ ଦୁନିଆ ଛାଡ଼ିଥିଲେ । ବ୍ୟବସାୟୀ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଏଭଳି ଅକାଳ ବିୟୋଗ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ସୁଞ୍ଜୟଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ଖବର ପାଇବା ପରେ କରିସ୍ମା କପୁରଙ୍କ ବାସଭବନରେ ତାଙ୍କ ଭଉଣୀ କରିନା କପୁର, ସୈଫ ଅଲ୍ଲୀ ଖାନ ଏବଂ ମଲ୍ଲାଇକା ଅରୋରା ପହଁଚିଛନ୍ତି ।
ସଞ୍ଜୟ କପୁର ବର୍ତ୍ତମାନ ଇଂଲଣ୍ଡରେ ରହୁଛନ୍ତି । ଗତକାଲି ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ ଏବଂ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସୋସିଆଲ ମିଡ଼ିଆ ଏକ୍ସରେ ସେ ସମବେଦନା ଜଣାଇଥିଲେ । ଏହା ପରେ ସେ ପୋଲୋ ଖେଳ ଖେଳୁଥିଲେ । ଏହି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସୁହେଲ୍ ସେଠ୍ ସୂଚନା ଦେଇଛନ୍ତି ।
୨୦୦୩ରେ ଅଭିନେତ୍ରୀ କରିସ୍ମା କପୁର ଏବଂ ସଞ୍ଜୟ କପୁର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ୨୦୧୬ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ୨୦୦୫ରେ ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଉଭୟଙ୍କ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ୨୦୧୦ରେ କରିସ୍ମା ସଞ୍ଜୟଙ୍କ ଘର ଛାଡ଼ି ଅଲଗା ରହୁଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଉଭୟଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । କରିସ୍ମା କପୁର ଏବେ ଯାଏଁ ଏକାକୀ ରହୁଥିବାବେଳେ ସଞ୍ଜୟ, ପ୍ରିୟା ସଚଦେବଙ୍କୁ ଦ୍ୱିତୀ ବିବାହ କରିଥିଲେ । ତାଙ୍କର ଆଉ ଗୋଟିଏ ପୁଅ ମଧ୍ୟ ଅଛି ।
ସଞ୍ଜୟ ସୋନା କୋମଷ୍ଟାର ନାମକ ଏକ କମ୍ପାନୀର ଅଧ୍ୟକ୍ଷ ଥିବା ସହିତ ସିଆଇଆଇ (Confederation of Indian Industry) ଉତ୍ତର ଅଞ୍ଚଳର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଥିଲେ ।