ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସୁପରଷ୍ଟାର ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସଲମାନଙ୍କୁ ମଧ୍ୟ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ସଲମାନ କେତେବେଳେ ଏବଂ କାହା ସହିତ ବାହାରକୁ ଯାଉଛନ୍ତି ସେ ତଥ୍ୟ ଦେବେ । ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରହିବେ ଭାଇଜାନ । ଜଣେ ତାଲିମ ପ୍ରାପ୍ତ ବନ୍ଧୁକ ଧାରୀ ପୁଲିସ କନଷ୍ଟେବଳ ତାଙ୍କୁ ସୁରକ୍ଷା ଦେବେ, ଯିଏ କି ସବୁ ପ୍ରକାର ଅସ୍ତ୍ର ବ୍ୟବହାର କରିବା ଜାଣିଥିବ ।
ସେହିପରି ସଲମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସମସ୍ତ ସୁରକ୍ଷା ବାବଦରେ ବିସ୍ତୃତ ଅବଗତ କରାଯାଇଛି । ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ସଲମାନଙ୍କ ନିକଟତର ଆସିବାକୁ ସେ ଦେବେ ନାହିଁ । ଏମିତିକୁ ତାଙ୍କ ପାନବେଲ୍ ଫାର୍ମ ହାଉସରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏ ନେଇ ନଭି ମୁମ୍ବାଇ ପୁଲିସ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ସଲମାନଙ୍କ ପିତା ସଲିମ ଖାନ ମଧ୍ୟ ପୂର୍ବ ଭଳି ନିୟମିତଭାବେ ତାଙ୍କ ବାନ୍ଦ୍ରା ବାସଭବନରୁ ବାହାରି ପ୍ରାତଃ ଭ୍ରମଣରେ ଯାଉଛନ୍ତି ।
ଅନ୍ୟପକ୍ଷରେ ସଲମାନଙ୍କ ଜଣେ ପାରିପାରିବ ବନ୍ଧୁ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବଲିଉଡର ସମସ୍ତ ବନ୍ଧୁଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରହିଛି । ଏମିତି କି ଏତେ ସବୁ ସମସ୍ୟା ମଧ୍ୟରେ ବି ସେ ବାବା ସିଦ୍ଦିକିଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି । ସଲମାନ ଏବଂ ସିଦ୍ଦିକିଙ୍କ ମଧ୍ୟରେ ଅତୁଟ ବନ୍ଧୁତ୍ୱ ସମ୍ପର୍କ ରହିଥିଲା । ଦୀର୍ଘ ୨୦ ବର୍ଷ ଧରି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ରହି ଆସିଥିଲା । ସବୁ କାର୍ଯ୍ୟକ୍ରମରେ ପରସ୍ପରଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା । ସେଥିପାଇଁ ସେ ତାଙ୍କ ଶେଷ କୃତ୍ୟ ବେଳେ ଉପସ୍ଥିତ ରହିଥିଲେ । ପୁଲିସ ସୁରକ୍ଷା ବଳୟ ମଧ୍ୟରେ ସଲମାନ ସିଦ୍ଦିକିଙ୍କ ଘରେ ପହଁଚିଥିଲେ ।
ଗତ ଶୁକ୍ରବାର ରାତିରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗ୍ୟାଙ୍ଗ୍ ଷ୍ଟାର ଲରେନ୍ସ ବିଷ୍ଣୋଇର ଏଥିରେ ସମ୍ପୃକ୍ତି ଥିବା ମୁମ୍ବାଇ ପୁଲିସ ସ୍ପଷ୍ଟ ଭାବେ କହିଥିଲା । ସିଦ୍ଦିକଙ୍କୁ ମଧ୍ୟ ପୂର୍ବରୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଏମିତି ବାବାଙ୍କ ପୁଅ ଜିସାନ୍ ମଧ୍ୟ ଲରେନ୍ସର ଟାର୍ଗେଟରେ ଥିଲେ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ କରିଛି ।