ମୁମ୍ବାଇ: ନିକଟରେ ମୁକ୍ତିଲାଭ କରିଥିବା ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୀତ ସୈୟାରା ଫିଲ୍ମ ମାତ୍ର ୬ ଦିନରେ ୨୦୦ କୋଟି ପାର୍ କରିଛି । ପୁରା ବିଶ୍ୱରେ ୨୨୦ କୋଟିର ବ୍ୟବସାୟ କରିଛି । ଖାଲି ସେତିକି ନୁହେଁ ଫିଲ୍ମଟି ନିଜର ୭ଟି ରେକର୍ଡ ମଧ୍ୟ ହାସଲ କରିଛି ।
ସୈୟାରା ମୁକ୍ତିଲାଭ କରିବା ଦିନ ଡେବ୍ୟୁ ଫିଲ୍ମ ତାଲିକାରେ ରେକର୍ଡ ବ୍ୟବସାୟ କରିଥିଲା । ଜାହ୍ନବୀ କପୁରଙ୍କ ପ୍ରଥମ ଫିଲ୍ମ ପ୍ରଥମ ଦିନରେ ୮. ୭୬ କୋଟି ଆୟ କରିଥିବାବେଳେ ସୈୟାରା ୨୧.୫ କୋଟି ଆୟ କରିଥିଲା । ସେହିପରି ସମସ୍ତ ବର୍ଗରେ ମଧ୍ୟ ଏହା ପ୍ରଥମ ଦିନରେ ରେକର୍ଡ କରିଥିଲା । ଯାହାକି ପୂର୍ବରୁ ଏହି ରେକର୍ଡ ଶାହୀଦ କପୁରଙ୍କ ଅଭିନୀତ କବୀର ସିଂହ ନାମରେ ଥିଲା । ଅଭିନୟରେ ପ୍ରଥମ ପାଦ ରଖିଥିବା କଳାକାର ଅଭିନୀତି ଫିଲ୍ମରେ ସୈୟାରା ୨୦୦ କୋଟି ପାର୍ କରିଛି ।
ଏହା ଏବେ ପଠାନ ଏବଂ ଜବାନ ପରେ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ସପ୍ତାହକୁ ଏହା ୩୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଅନୁମାନ କରାଯାଉଛି । ଏପରିକି ସଲମାନଙ୍କ ସିକନ୍ଦର (୧୨୯.୯୫ କୋଟି), ଅକ୍ଷୟ କୁମାରଙ୍କ ସ୍କାୟ ଫୋର୍ସ (୧୩୪.୯୩ କୋଟି) ଏବଂ କେସରୀ ଚାପ୍ଟର-୨ (୯୪.୪୮ କୋଟି) ମଧ୍ୟ ପଛରେ ରହିଯାଇଛନ୍ତି । ତେବେ ସୈୟାରାକୁ ୯୦ ଦଶକର ‘ଦିଲୱାଲେ ଦୁଲହନିୟା ଲେ ଯାଏଗେଁ’ ଏବଂ ‘କହୋ ନାଁ ପ୍ୟାର୍ ହେ’ ସହିତ ତୁଳନା କରାଯାଉଛି ।
ଭାରତରେ ସୈୟାରାର ବ୍ୟବସାୟ ପ୍ରଥମ ଦିନ ଶୁକ୍ରବାର ୨୧.୫ କୋଟି, ଶନିବାର - ୨୬ କୋଟି, ରବିବାର ୩୫.୭୫ କୋଟି ଟଙ୍କା, ସୋମବାର ୨୪ କୋଟି, ମଙ୍ଗଳବାର ୨୫ କୋଟି, ବୁଧବାର ୨୧.୫ କୋଟି, ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୦.୦୨ କୋଟି ବ୍ୟବସାୟ କରିଛି ।