ବେଙ୍ଗାଲୁରୁ: ବଲିଉଡ଼ର ପ୍ରସିଦ୍ଧ ଗାୟକ ସୋନୁ ନିଗମ ପୁଣି ଥରେ ନିଜର ବୟାନ ପାଇଁ ବିବାଦକୁ ଆସିଛନ୍ତି । ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କନ୍ନଡ଼ ଭାଷା ଏବଂ ପହଲଗାମ ଆକ୍ରମରକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ ସେ ଫସିଛନ୍ତି । ତାଙ୍କ ନାଁରେ କର୍ଣ୍ଣାଟକ କନ୍ନଡ଼ ସମର୍ଥକ ସଂଗଠନ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସଂଗଠନର ମୁଖ୍ୟ ଧର୍ମରାଜ ମଧ୍ୟ ଆଭାଲାହାଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।
କନ୍ନଡ଼ ସମର୍ଥକ ସଂଗଠନ ସୋନୁ ନିଗମଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସୋନୁଙ୍କ ବୟାନ 'ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିକାରୀ ଏବଂ ବିଭାଜନକାରୀ' ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ବୋଲି ସଂଗଠନ ପକ୍ଷରୁ କୁହାଯାଇଚି । ସଂଗଠନର ମୁଖ୍ୟ ଧର୍ମରାଜ ତାଙ୍କ ଅଭିଯୋଗରେ ଗାୟକ ସୋନୁ ନିଗମଙ୍କ ଉପରେ କନଡ ଲୋକଙ୍କୁ ଅପମାନିତ କରିବା ଏବଂ ଭାଷାଗତ ଗୋଷ୍ଠୀ ମଧ୍ୟରେ ଘୃଣା ସୃଷ୍ଟି କରିବାର ଅଭିଯୋଗ ଆଣିଛନ୍ତି । ଏପ୍ରିଲ ୨୫ ଏବଂ ୨୬ରେ ବେଙ୍ଗାଲୁରୁର ଇଷ୍ଟ ପଏଣ୍ଟ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିରେ ଦିଆଯାଇଥିବା ଉତ୍ତେଜନାପୂର୍ଣ୍ଣ ବୟାନ ଯୋଗୁଁ ସେ ସୋନୁ ନିଗମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ଅଭିଯୋଗରେ ଆହୁରି ଲେଖାଯାଇଛି ଯେ କନ୍ନଡ ଗୀତ ଗାଇବା ପାଇଁ ଏକ ସରଳ ଅନୁରୋଧକୁ ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ସୋନୁ ନିଗମ କନ୍ନଡ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ଏବଂ ସେମାନଙ୍କର ସାଂସ୍କୃତିକ ଗର୍ବ ଏବଂ ଭାଷାଗତ ପରିଚୟକୁ ହିଂସା ଏବଂ ଅସହିଷ୍ଣୁତା ସହିତ ସମାନ କରିଛନ୍ତି ବୋଲି ଅଭିଯୋଗରେ କୁହାଯାଇଛି । ସୋନୁ ନିଗମଙ୍କ ବିରୁଦ୍ଧରେ ବିଏନ୍ଏସ୍ ଧାରା ୩୫୨(୧), ୩୫୧(୨), ଏବଂ ୩୫୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ ଯାହା ଦ୍ୱାରା କନ୍ନଡ ସମ୍ପ୍ରଦାୟ ନ୍ୟାୟ ପାଇପାରିବେ ଏବଂ ଲୋକମାନେ ଭବିଷ୍ୟତରେ ଏପରି ବୟାନ ଦେବାରୁ ଦୂରେଇ ରହିବେ।
କ’ଣ କହିଥିଲେ ସୋନୁ ନିଗମ ?
ସୋନୁ ନିଗମ ବେଙ୍ଗାଲୁରୁ କନସର୍ଟର ଗୀତ ପରିବେଷଣ କରୁଥିବାବେଳେ ଜଣେ ଛାତ୍ର ସୋନୁ ନିଗମଙ୍କୁ କନ୍ନଡ଼ ଭାଷାରେ ଏକ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ସେହି ବ୍ୟକ୍ତି ସୋନୁଙ୍କୁ କନ୍ନଡ ଗୀତ ଗାଇବାକୁ ବାରମ୍ବାର ଚାପ ଦେଉଥିଲେ, ଯେଉଁଥିପାଇଁ ସେ ରାଗି ଯାଇଥିଲେ । ସେ କହିଥିଲେ, 'ମୁଁ ସମସ୍ତ ଭାଷାରେ ଗୀତ ଗାଇଛି । କିନ୍ତୁ ମୋ ଜୀବନର ସର୍ବୋତ୍ତମ ଗୀତ କନ୍ନଡ଼ରେ ଅଛି ।' ମୁଁ ଯେତେବେଳେ ତୁମମାନଙ୍କ ପାଖକୁ ଯାଏ, ମୁଁ ବହୁତ ଭଲପାଇବାର ସହିତ ଆସେ । ଆମେ ପ୍ରତିଦିନ ଶୋ କରୁ, କିନ୍ତୁ ଯେତେବେଳେ କର୍ଣ୍ଣାଟକର କୌଣସି ସ୍ଥାନରେ ଶୋ ହୁଏ, ଆମେ ବହୁତ ସମ୍ମାନ ସହିତ ଆସୁ କାରଣ ତୁମେମାନେ ଆମକୁ ତୁମର ପରିବାର ବୋଲି ଭାବ । ସେଠାରେ ଜଣେ ପିଲା ଅଛି, ତାଙ୍କ ବୟସ ଯେତିକି ହେବନି ତା ପୂର୍ବରୁ ମୁଁ କନ୍ନଡ଼ରେ ଗୀତ ଗାଉଛି । ସେ ମୋତେ ଧମକ ଦେଉଥିଲା, 'କନ୍ନଡ଼, କନ୍ନଡ଼, କନ୍ନଡ଼ । ପହଲଗାମରେ ଯାହା ଘଟିଥିଲା, ଏହା ହିଁ ଠିକ୍ କାରଣ ? ତୁମେ ଯାହା କରୁଛ, ଏବେ ଯାହା କଲ, ଏହା ହିଁ ଏହାର କାରଣ ? ଦେଖ ମୋ ସାମ୍ନାରେ କିଏ ଠିଆ ହୋଇଛି । ମୁଁ କନ୍ନଡ଼ଲୋକମାନଙ୍କୁ ବହୁତ ପସନ୍ଦ କରେ, ମୁଁ ତୁମମାନଙ୍କୁ ବହୁତ ପସନ୍ଦ କରେ। ମୁଁ ଦୁନିଆର ଯେଉଁଠାକୁ ଯାଏ, ମୁଁ ସବୁବେଳେ କଥା ହୁଏ, ମୁଁ ସମସ୍ତଙ୍କ ସହିତ କଥା ହୁଏ। ୧୪,୦୦୦ ଦର୍ଶକ ଅଛନ୍ତି ଏବଂ ଗୋଟିଏ ସ୍ୱର ଆସେ, 'କନ୍ନଡ଼'। ତେଣୁ ମୁଁ ସେମାନଙ୍କ ପାଇଁ କନ୍ନଡ଼ରେ କିଛି ଧାଡ଼ି ଗାଏ ।' ସୋନୁ ଶେଷରେ କହିଲେ, 'ମୁଁ ତୁମକୁ ବହୁତ ସମ୍ମାନ କରେ, ମୁଁ ତୁମକୁ ବହୁତ ଭଲ ପାଏ।' ତେଣୁ ଆପଣ ମଧ୍ୟ ଟିକେ ଧ୍ୟାନ ରଖିବା ଉଚିତ, ତୁମେ ଏହା କରିବା ଉଚିତ୍ ନୁହେଁ।'