ମୁମ୍ବାଇ: ଏଇ ନିକଟରେ ପରଦାକୁ ଆସିଥିଲା ରଣଦୀପ ହୁଡ୍ଡା ଏବଂ ସନି ଦେଓଲଙ୍କ ଚର୍ଚ୍ଚିତ ଫିଲ୍ମ ‘ଜାଟ୍’ ବିବାଦ ଘେରକୁ ଆସିଛି । ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ପଞ୍ଜାବର ଜଲନ୍ଦର ଥାନାରେ ଏଫ୍ଆଇଆର୍ ଦିଆଯାଇଥିବା ଜଣାପଡ଼ିଛି । ସନି ଦେଓଲ, ରଣଦୀପ ହୁଡା, ବିନୀତ କୁମାର, ନିର୍ଦ୍ଦେଶକ ଗୋପୀ ଚାନ୍ଦ ଏବଂ ପ୍ରଯୋଜକ ନବୀନ ମାଲିନେନିଙ୍କ ବିରୋଧରେ ଅଭିଯୋଗ ହୋଇଛି ।
ଫିଲ୍ମ ବିରୋଧରେ ଅଭିଯୋଗ କରାଯାଇଛି ଯେ ରଣଦୀପ ହୁଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷଗୁଡ଼ିକର ଅସମ୍ମାନ କରିଛନ୍ତି । ଗତ କିଛି ଦିନ ଧରି, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏହାକୁ ନେଇ କ୍ରୋଧ ପ୍ରକାଶ କରୁଛନ୍ତି । ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆସିଛି ଯେ ସେମାନେ ତାଙ୍କ ଚଳଚ୍ଚିତ୍ରରେ ଏପରି ଦୃଶ୍ୟ ଯୋଡିଛନ୍ତି ଯାହା ଏକ ଧାର୍ମିକ ପ୍ରତୀକକୁ ଅପମାନିତ କରିଛି । ଧାର୍ମିକ ଭାବନାକୁ ଆଘାତ ଦେବା ଆଧାରରେ ଧାରା ବିଏନ୍ଏସ୍ ୨୯୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସମ୍ପୃକ୍ତ ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତି ଯେ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରାଯିବ।
ସେପଟେ ସିନେମା ହଲରେ ଜାଟ୍ କ୍ରେଜ୍ ଦେଖିବାକୁ ମିଳିଛି । ସନି ଦେଓଲଙ୍କ ଚରିତ୍ର ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଗତ ଏପ୍ରିଲ ୧୦ ତାରିଖରେ ମୁକ୍ତିଲାଭ କରିଥିବା ଫିଲ୍ମଟି ଏପର୍ଯ୍ୟନ୍ତ ପ୍ରାୟ ୬୨ କୋଟି ଟଙ୍କା ବ୍ୟବୟାସ କରିଛି ।
ତେବେ 'ଜାଟ୍'ର ସଫଳତା ପରେ, ସନ୍ନି ଦେଓଲ 'ଜାଟ୍ ୨' ମଧ୍ୟ ଘୋଷଣା କରିଛନ୍ତି । 'ଜାଟ ୨'ର ସମାନ ସ୍ଥାନ ହେବାକୁ ଯାଉଛି । ଏବେ ଏହାକୁ ଘୋଷଣା କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ବଢ଼ିଯାଇଛି ।