ମୁୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଜଣେ ଅଜଣା ବ୍ୟକ୍ତି ସଲମାନଙ୍କ କାର ଉଡାଇବା ସହ ଜୀବନରେ ମାରିବାକୁ ଧମକ ଦେଇଛନ୍ତି । ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହୋଇ ନାହିଁ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ପକ୍ଷରୁ ସଲମାନଙ୍କୁ ଅନେକ ଥର ଧମକ ମିଳି ସାରିଛି । ଗତ ବର୍ଷ ଆକ୍ଟରଙ୍କ ବାସଭବନରେ ଗୁଳିମାଡ ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।
ମିଡିଆ ରିପୋର୍ଟ ଅନୁସାରେ, ମୁମ୍ବାଇ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ ଆସିଥିଲା । ମେସେଜରେ ଅଭିନେତା ଖାନଙ୍କୁ ଘରେ ପଶି ମାରିବାର ଧମକ ଦିଆଯାଇଛି । ଏହା ସହିତ ତାଙ୍କ କାରକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ପୋଲିସ ବର୍ତ୍ତମାନ ଧମକଭରା ମେସେଜର ତଦନ୍ତ ଆରମ୍ଭ କରି ଦେଇଛି ।
ଗତ କିଛି ବର୍ଷ ହେବ ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକ ଅନେକ ଥର ଧମକ ମିଳି ଚାଲିଛି । ୨୦୨୪ ନଭେମ୍ବର ୮ ତାରିଖରେ ମଧ୍ୟ ସଲମାନଙ୍କୁ ମୁମ୍ବାଇର ଟ୍ରାଫିକ କଂଟ୍ରୋଲ ରୁ ଜରିଆରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ବର୍ଲି ପୋଲିସ ଜଣେ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିଥିଲା ।
ଗତ ବର୍ଷ ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟର ବାହାରେ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ପାଞ୍ଚ ରାଉଣ୍ଡ ଫାୟରିଂ କରିଥିଲେ । ଏଥିରୁ ଗୋଟିଏ ଗୁଳି ସଲମାନଙ୍କ ଘରର କାନ୍ଥରେ ବାଜିଥିଲା । ଆଉ ଗୋଟିଏ ଗୁଳି ସଲମାନଙ୍କ ଘରେ ଲାଗିଥିବା ନେଟକୁ ଚିରି ଭିତରକୁ ଚାଲି ଯାଇଥିଲା । ଫାୟରିଂ କରିବା ପରେ ଆକ୍ରମଣକାରୀ ଘଟଣାସ୍ଥଳରେ ବାଇକ ଛାଡି ଫେରାର ହୋଇ ଯାଇଥିଲେ ।