ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ଜାହିର ଖାନଙ୍କ ଘରକୁ ଆସିଛି ନୂଆ ଅତିଥି । ଏହି ଷ୍ଟାର ଖେଳାଳିଙ୍କ ଘରେ ଶୁଭୁଛି କୁଆଁ କୁଆଁ ଡାକ । ବିବାହର ଦୀର୍ଘ ୮ ବର୍ଷ ପରେ ବାପା-ମାଆ ହୋଇଛନ୍ତି ଜାହିର ଖାନ ଏବଂ ସାଗରିକା । ଦମ୍ପତ୍ତି ତାଙ୍କର ପ୍ରଥମ ସନ୍ତାନର ସ୍ୱାଗତ କରିଛନ୍ତି । ଉଭୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ନେଇ ପତ୍ନୀ ସାଗରିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ବୁଧବାର ସୂଚନା ଦେଇଛନ୍ତି । ଜାହିର ଖାନ ତାଙ୍କ ପୁଅର ନାଁ ରଖିଛନ୍ତି ଫତେହସିନ ଖାନ ।
କ୍ରିକେଟର୍ ଜାହିର ଖାନ୍ ଏବଂ ଅଭିନେତ୍ରୀ ସାଗରିକା ଘାଟଗେ ୨୦୧୭, ନଭେମ୍ବର ୨୩ ତାରିଖରେ ବିବାହ କରିଥିଲେ । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାଗରିକା ଚକ୍ ଦେ ଇଣ୍ଡିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ସହିତ ଫିୟର ଫାଇଟର୍ ଏବଂ ଖତ୍ରୋ କେଁ ଖିଲାଡ଼ୀ ଭଳି ରିଆଲିଟି ଶୋରେ ମଧ୍ୟ ନଜର ଆସିଛନ୍ତି । ସେହିପରି ସେ ଇମରାନ ହାସିମଙ୍କ ବିପକ୍ଷରେ ‘ରସ୍’ରେ ମଧ୍ୟ ଅଭିନୟ କରିଛନ୍ତି । ଅପର ପକ୍ଷରେ ଜାହିର ଖାନ ବର୍ତ୍ତମାନ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସର କୋଚ୍ ଅଛନ୍ତି ।