ମୁମ୍ବାଇ: ବଲିଉଡର ପୁଣି ଜଣେ କଳାକାରଙ୍କ ନାଁ ବେଆଇନ ନିଶା କାରବାରରେ ଯୋଡ଼ି ହୋଇଯାଇଛି । “ଷ୍ଟୁଣ୍ଡେଣ୍ଟ୍ ଅଫ୍ ଦ ଇୟର୍ ୨”ରେ ଅଭିନୟ କରିଥିଲା ଅଭିନେତା ବିଶାଲ ବ୍ରହ୍ମା ନିଶା କାରବାରରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୪୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଥିବା ସୂଚନା ମିଳିଛି ।
ବିଶାଲଙ୍କୁ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରାଯାଇଛି । ରେଭିନ୍ୟୁ ଇଣ୍ଟିଲିଜେନ୍ସ ନିର୍ଦ୍ଦେଶାଳୟ ୪୦ କୋଟି ମୂଲ୍ୟର ଅବୈଧ ନିଶା ଦ୍ରବ୍ୟ ସହିତ ଗିରଫ କରିଛି । ବିଶାଲ ଆସାମର ମୂଳ ବାସିନ୍ଦା ଅଟନ୍ତି । ସେ ଏୟାର ଇଣ୍ଡିଆ ବିମାନରେ ସିଙ୍ଗାପୁର ଯାଇଥିଲେ । ସିଙ୍ଗାପୁରରୁ ଚେନ୍ନାଇ ହୋଇ ଫେରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ସେ ଏକ ନାଇଜେରିଆନ୍ ଗ୍ୟାଙ୍ଗ୍ ସହିତ ଜଡ଼ିତ ଅଛନ୍ତି ବୋଲି ଜଣାପଡ଼ିଛି । ବିଶାଲଙ୍କୁ କମ୍ବୋଡ଼ିଆ ଯିବାକୁ କୁହାଯାଇଥିଲା । ସେଠାରୁ ଫେରିବା ସମୟରେ ଏକ ଟ୍ରଲି ବ୍ୟାଗ୍ ନେବାକୁ କୁହାଯାଇଥିଲା । ଯେଉଁଥିରେ ଡ୍ରଗ୍ସ ଭର୍ତ୍ତି ଥିଲା ।
୨୦୧୯ରେ ମୁକ୍ତିଲାଭ କରିଥିବା ଟାଇଗର୍ ସ୍ରଫଙ୍କ ଅଭିନୀତ “ଷ୍ଟୁଣ୍ଡେଣ୍ଟ୍ ଅଫ୍ ଦ ଇୟର୍ ୨” ଫିଲ୍ମରେ ବିଶାଲ ବ୍ରହ୍ମା ପାର୍ଶ୍ୱ ଭୂମିକାରେ ନଜର ଆସିଥିଲେ । ସେ ସମ୍ରାଟ ଚରିତ୍ରରେ ଅଭିନୟ କରିଥିଲେ । ୨୦୨୪ରେ ମଧ୍ୟ ଅରବାଜ ଖାନଙ୍କୁ ନେଇ ତାଙ୍କର ବିବାଦ ସାମ୍ନାକୁ ଆସିଥିଲା । ଏକ ଫିଲ୍ମର ସୁଟିଂ ସରିଥିବାବେଳେ ତାଙ୍କୁ ତାଙ୍କର ପ୍ରାପ୍ୟ ଦିଆଯାଇନଥିବା ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିଲେ ।