ଗୌହ୍ୱାଟୀ: ଆସାମର ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲା ଉପରୁ ଏଯାଏଁ ପରଦା ହଟି ପାରୁନାହିଁ । ଜୁବୀନଙ୍କ ଅକାଳ ବିୟୋଗକୁ ନେଇ ଅନେକ ଅସୀମାହିତ ପ୍ରଶ୍ନ ଉଙ୍କି ମାରୁଛି । ଆସାମର ପ୍ରତ୍ୟେକ ଦୁର୍ଗା ପୂଜା ପେଣ୍ଡାଲରେ ହୋର୍ଡିଂ ଲାଗିଛି ଯେଉଁଥିରେ ଲେଖାଯାଇଛି ‘ଜଷ୍ଟିସ୍ ଫର୍ ଜୁବୀନ୍’ । ଏହାରି ମଧ୍ୟରେ ଆସାମ ପୋଲିସ ଏକ ବଡ଼ ପଦକ୍ଷେପ ସ୍ୱରୂପ ୨ ଜଣଙ୍କୁ ଗିରଫ କରିଛି । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ସଂଞ୍ଚାଳକ ଶ୍ୟାମକାନୁ ମହାନ୍ତ ଏବଂ ଜୁବୀନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ ।
ସିଙ୍ଗାପୁରରୁ ଫେରୁଥିବାବେଳେ ଦିଲ୍ଲୀ ବିମାନବନ୍ଦରରୁ ଶ୍ୟାମକାନୁ ମହାନ୍ତଙ୍କୁ ମଧ୍ୟରାତ୍ରରେ ଗିରଫ କରାଯାଇଛି । ସେପଟେ ଗୁରୁଗ୍ରାମ ଟୋଲ୍ ପ୍ଲାଜା ନିକଟରୁ ରାତି ପ୍ରାୟ ୧ଟା ସମୟରେ ସିଦ୍ଧାର୍ଥଙ୍କୁ ପୋଲିସ ବାନ୍ଧିଛି । ସେ ରାଜସ୍ଥାନରୁ ଦିଲ୍ଲୀ ଫେରୁଥିଲେ । ଉଭୟଙ୍କୁ ପୋଲିସ ୧୪ ଦିନିଆ ରିମାଣ୍ଡରେ ଗୌହ୍ୱାଟୀ ଆଣିଛି । ଉଭୟଙ୍କୁ ବିମାନରେ ଦିଲ୍ଲୀରୁ ଗୌହ୍ୱାଟୀ ଅଣାଯାଉଛି ଏବଂ ସିଧାସଳଖ ମୁଖ୍ୟ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ ବାସଭବନକୁ ନିଆଯିବ ।
ଶର୍ମା ପ୍ରଥମେ ପୋଲିସ ରାଡାରରେ ଥିଲେ । ସେପ୍ଟେମ୍ବର ୨୫ ବେଳକୁ ସେ ନିଜ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ । କିନ୍ତୁ ପୋଲିସ ତାଙ୍କୁ ପିଛା କରି ସୋମବାର ଗିରଫ କରିବାରେ ସଫଳ ହୋଇଥିଲା ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୬ ତାରିଖ ସୁଦ୍ଧା ସେମାନଙ୍କୁ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ କରାଯିବ ଉଚିତ । ରାଜ୍ୟ ସରକାର ପୋଲିସ ଡିଜି ଏମପି ଗୁପ୍ତାଙ୍କ ଅଧୀନରେ ଏକ ୧୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରିଥିଲେ । ଏସଆଇଟି ପ୍ରଥମେ ଶର୍ମାଙ୍କ ବାସଭବନରେ ତଲାସୀ କରି କିଛିଟା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ।
ପ୍ରକାଶ ଥାଉକି ଜୁବୀନ ଗର୍ଗ ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେପ୍ଟେମ୍ବର ୧୯ରେ ସ୍କୁବା ଡାଇଭିଂ ବେଳେ ଜୁବୀନଙ୍କ ଅକାଳ ବିୟୋଗ ହୋଇଥିବା ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ସଂଞ୍ଚାଳକ ଶ୍ୟାମକାନୁ ମହାନ୍ତ ସୂଚନା ଦେଇଥିଲେ । ଜୁବୀନ ସ୍କୁବା ଡାଇଭିଂ କରୁଥିବାବେଳେ କୌଣସି ସୁରକ୍ଷା ଗ୍ରହଣ କରିନଥିଲେ ବୋଲି କୁହାଯାଇଥିଲା । ସେପ୍ଟେମ୍ବର ୨୩ରେ ଆସାମର କାମରୁପ ଜିଲ୍ଲାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିତରେ ତାଙ୍କର ଅନ୍ତିମ କ୍ରିୟା ସମାପନ ହୋଇଥିଲା । ଜୁବୀନଙ୍କର ଦୁଇ ଦୁଇ ଥର ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଥିଲା ।