ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାରେ ଆଜି ସକାଳ ପ୍ରାୟ ୫ଟା ୨୦ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍ ଦ୍ରୁତଗାମୀ ଟ୍ରକ୍ ସହିତ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ଟି ହାଇଦ୍ରାବାଦରୁ ବିଜୟୱାଡା ଯାଉଥିଲା। ଏଥିରେ ୪୩ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂର୍ଯ୍ୟପେଟ୍ ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ବସ୍ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାତ୍ରା କରୁଥିଲା। ୪୩ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ଦୁର୍ଗାପୁରମ୍ ଷ୍ଟେଜ୍ ନିକଟରେ ହଠାତ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା।
ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟପେଟ୍ ପୋଲିସ କହିଛି, ଆମେ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଶବାଗାରକୁ ପଠାଇଛୁ ଏବଂ ଘଟଣାର ତଦନ୍ତ କରୁଛୁ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ସୂର୍ଯ୍ୟପେଟ୍ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ତେଲେଙ୍ଗାନା ସିଏମଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ପୋଷ୍ଟ କରି ଲେଖିଛନ୍ତି, କୋଡାଡ ମଣ୍ଡଳର ଦ୍ୱାରକୁଣ୍ଟ ନିକଟରେ ଏକ ଘରୋଇ ବସ୍ ଏବଂ ଏକ କଣ୍ଟେନର ଧକ୍କା ହୋଇଛି। ଆହତମାନଙ୍କ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ହାଇତିରେ ରକ୍ତର ହୋଲି: ୪୭ ଜଣଙ୍କୁ ହତ୍ୟା, ୫୦ରୁ ଅଧିକ ଲୋକଙ୍କୁ ଅପହରଣ