ମୁମ୍ବାଇ: ବଲିଉଡ ଶେହନଶାହ ବଗ୍ ବି ଆଜି ତାଙ୍କର ୮୨ ତମ ଜନ୍ମ ଦିନ ପାଳନ କରୁଛନ୍ତି । ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନ ସମ୍ମୁଖରେ ପ୍ରଶଂସକମାନେ ଅଧରାତିରୁ ଭିଡ଼ ଜମାଇଛନ୍ତି । ବି ଟାଉନର ଆଗ ଧାଡ଼ିର କଳାକାରମାନେ ତାଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛନ୍ତି । ଶେହନଶାହ ଦୀର୍ଘ ୫୪ ବର୍ଷ ଧରି ଚଳଚ୍ଚିତ୍ର ଦୁନିଆରେ ରାଜ୍ କରୁଛନ୍ତି । ହିରୋଠାରୁ ଆରମ୍ଭର କରି କମେଡ଼ି, ଖଳନାୟକ ଭଳି ସମସ୍ତ ଭୂମିକାରେ ସେ ନଜର ଆସିଛନ୍ତି । ଏହାରି ମଧ୍ୟରେ ସେ ଅନେକ ଉତଥାନ ଏବଂ ପତ୍ତନ ମଧ୍ୟ ଦେଖିଛନ୍ତି ।
ତେବେ ଆସନ୍ତୁ ବିଗ୍ ବିଙ୍କ ବିଷୟରେ କିଛି ଅଜଣା କଥା ଜାଣିବା । ଯେଉଁ ସ୍ୱତନ୍ତ୍ର କଣ୍ଠ ସ୍ୱରକୁ ଆଜି ସମସ୍ତେ ଅନୁକରଣ କରିବାରୁ ଚେଷ୍ଟା କରୁଛନ୍ତି, ସେହି ସ୍ୱରକୁ ଦିନେ ଅଲ ଇଣ୍ଡିଆ ରେଡ଼ିଓ ପ୍ରତ୍ୟାଖ୍ୟାନ କରିଥିଲା । ମାତ୍ର ସେ ଏଥିରେ ନିରାଶ ହୋଇ ନ ଥିଲେ । ଯେଉଁ ଶେହନଶାହ ଆଜି କୋଟି କୋଟି ଟଙ୍କାର ମାଲିକ ସେହି ବ୍ୟକ୍ତି ମାତ୍ର ୧୯୬୯ ମସିହାରେ ୩୦୦ ଟଙ୍କାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାହା ପୁଣି ଅଭିନେତା ନୁହେଁ ଜଣେ କଥା ବାଚକ ଭାବରେ ଜୀବନ ଯାତ୍ରା ଆରମ୍ଭ କରିଥିଲେ । ସେହିବର୍ଷ ଅନେକ ସଂଘର୍ଷ କରିବା ପରେ ତାଙ୍କୁ ‘ସାତ ହିନ୍ଦୁସ୍ଥାନୀ’ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା । ଆଉ ଏଥିରେ ତାଙ୍କୁ ୫୦୦୦ ଟଙ୍କା ପ୍ରାପ୍ୟ ମିଳିଥିଲା । ଏହା ପରେ ପୁଣି ୧୯୭୧ରେ ‘ରେଶମା ଔର୍ ଶେରା’ରେ ଏକ ଛୋଟ ଚରିତ୍ର କରିବାର ସୁଯୋଗ ପାଇଥିଲେ । ତଥାପି ତାଙ୍କୁ ସେହି ସଫଳତା ମିଳି ନ ଥିଲା । ଏହାର ପରେ ଆନନ୍ଦ ବାବୁଙ୍କ ସହିତ ସାକ୍ଷାତ ପରେ ତାଙ୍କ ଜୀବନ ଯାତ୍ରା ଆଉ ଟିକେ ଆଗକୁ ବଢ଼ିଥିଲା ।
ଏହାରି ମଧ୍ୟରେ ଛୋଟରୁ ବଡ଼ ସମସ୍ତ ଚରିତ୍ରକୁ ସେ କରିବାକୁ ଲାଗିଥିଲେ । କିନ୍ତୁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ‘ଜଞ୍ଜୀର’ । ୧୯୭୩ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଅମିତାଭଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ସେ ଜଣେ ରାଗି ବ୍ୟକ୍ତିଭାବରେ ପରଦାକୁ ଆସିଥିଲେ, ଯାହାକୁ ଲୋକ ବହୁତ ପସନ୍ଦ କରିଥିଲେ ।
ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ସୌଦାଗର, ଦୀବାର, ଶୋଲେ, ଲାବାରିସ, ଚୁପକେ-ଚୁପକେ, ନମକ ହଲାଲ, ନମକ ହରାମ, ନାସ୍ତିକ, କାଲିୟା, ଖୁଦ୍ଦାର, ଶରାବୀ ଭଳି ଫିଲ୍ମ କରି ବଲିଉଡକୁ ଏକ ଶୀଖରରେ ପହଁଚାଇଥିଲେ ।