ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଧମକ ପୂର୍ଣ୍ଣ ମେସେଜ୍ ଆସିଛି । ଭାଇଜାନଙ୍କ ସମେତ ଲରେନ୍ସ ବିଷ୍ଣୋଇ ଓ ସଲମାନଙ୍କୁ ନେଇ ଗୀତ ଲେଖିଥିବା ବ୍ୟକ୍ତିକୁ ମଧ୍ୟ ମାସ ଭିତରେ ହତ୍ୟା କରାଯିବ ବୋଲି କୁହାଯାଇଛି ।
ଧମକ ପୂର୍ଣ୍ଣ ମେସେଜରେ ଲେଖାଯାଇଛି କି ଗୋଟିଏ ମାସ ମଧ୍ୟରେ ଗୀତ ଲେଖିଥିବା ବ୍ୟକ୍ତି ହତ୍ୟା କରାଯିବ । ଗୀତ ଲେଖିଥିବା ବ୍ୟକ୍ତିଙ୍କ ଅବସ୍ଥା ଏମିତି ହେବ ଯେ ସେ ନିଜ ନାଁରେ ମଧ୍ୟ ଗୀତ ଲେଖିପାରିବ ନାହିଁ । ଯଦି ସଲମାନଙ୍କର ସାହସ ଅଛି ତେବେ ତାଙ୍କୁ ବଞ୍ଚାଇକି ଦେଖାନ୍ତୁ । ତେବେ ଏହା କେଉଁ ଗୀତ ଏବଂ ତାକୁ କିଏ ଲେଖିଛି ସେ ବାବଦରେ ମେସେଜରେ କିଛି ଉଲ୍ଲେଖ କରାଯାଇ ନାହିଁ ।
ଅନ୍ୟପକ୍ଷରେ ୱର୍ଲି ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯେଉଁ ନମ୍ବରରୁ ଧମକ ଆସିଛି ପୁଲିସ ଉକ୍ତ ନମ୍ବରକୁ ଟ୍ରେସ୍ କରୁଛି । ବିଗତ କିଛି ମାସ ମଧ୍ୟରେ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ଏହି ଧମକ ଗ୍ୟାଙ୍ଗ ଷ୍ଟାର୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ହିଁ ମିଳୁଛି । ନିକଟରେ ଧମକ ଦେଇଥିବା ବ୍ୟକ୍ତିକୁ ପୁଲିସ କର୍ଣ୍ଣଟକରୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ହେଲା ଭୀକାରାମ ଜଲାରାମ ବିଶ୍ରୋଇ, ସେ ରାଜସ୍ତାନର ଅଟେ । ସେ ନିଜକୁ ଲରେନ୍ସର ଭାଇ ବୋଲି କହିଥିଲା ।
ବୁଧବାର ରାତିରେ ଶାହରୁଖ ଖାନଙ୍କୁ ମଧ୍ୟ ଧମକ ମିଳିଥିଲା । ପୁଲିସ ରାୟପୁର ଫୈଜା ଖାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣକଙ୍କର ମୋବାଇଲ ହଜି ଯାଇଛି ବୋଲି ସେ ପୁଲିସକୁ କହିଥିଲେ । ସେ ପେଷାରେ ଜଣେ ଓକିଲ ବୋଲି ଜଣାପଡ଼ିଛି ।