ମୁମ୍ବାଇ: ଜଣେ ଟେଲିଭିଜନ ଅଭିନେତା ଆଶିଷ କାପୁର ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି । ଦିଲ୍ଲୀ ଏମ୍ସରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଗିରଫ ପରେ ତାଙ୍କ ୧୪ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଜଣେ ମହିଳା ଦିଲ୍ଲୀର ସିଭିଲ୍ ଲାଇନ୍ସ ଥାନାରେ ଅଭିନେତା ଆଶିଷ କପୁରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଦିଲ୍ଲୀରେ ଏକ ଘରୋଇ ପାର୍ଟିରେ ଆଶିଷ ଏକ ବାଥରୁମରେ ମହିଳାଙ୍କ ସହିତ ଅସଦାଚରଣ କରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ବହୁତ ଖୋଜା ଖୋଜି କରିବା ପରେ ଏହି ସପ୍ତାହରେ ମହାରାଷ୍ଟ୍ର ପୁଣେରୁ ତାଙ୍କୁ ଗିରଫ କରିଛି ।
ଏହା ପରେ ତାଙ୍କୁ ରିମାଣ୍ଡରେ ଦିଲ୍ଲୀ ଅଣାଯାଇଥିଲା । ସେଠାରେ ଶୁକ୍ରବାର ଏମସରେ ପୋଣ୍ଟେସି ଟେଷ୍ଟ କରାଯାଇଛି । ଯାହାକି ମାମଲାରେ ଅଧିକ ସାହାଯ୍ୟ କରିବ ।
ସେପଟେ ପୋଲିସର କହିବା ମୁତାବକ, ମହିଳା ଜଣକ ପ୍ରଥମେ ଆଶିଷ, ତାଙ୍କର ଜଣେ ବନ୍ଧୁ ଏବଂ ବନ୍ଧୁଙ୍କ ପତ୍ନୀଙ୍କ ନାମ ଏତଲାରେ ଉଲ୍ଲେଖ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ବଦଳାଇ କେବଳ ଆଶିଷଙ୍କ ନାମ ରଖିଥିଲେ । ଆହୁରି ଦାବି କରିଥିଲେ ଯେ ଦୁଷ୍କର୍ମ ବେଳର ଭିଡ଼ିଓ ମଧ୍ୟ ରେକର୍ଡିଂ ହୋଇଛି । କିନ୍ତୁ ସେଭଳି କିଛି ଭିଡ଼ିଓ ଫୁଟେଜ୍ ପୋଲିସ ହାତରେ ଲାଗି ନ ଥିବା ଜଣାପଡ଼ିଛି ।
ଆଶିଷ କାପୁର ଅନେକ ହିନ୍ଦୀ ଧାରାବାହିକରେ କାମ କରିଛନ୍ତି । ‘ସରସ୍ୱତୀଚନ୍ଦ୍ର’, ‘ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ୍ ମ୍ୟାରେଜ୍’, ‘ଚାନ୍ଦ ଛୁପା ବାଦଲ୍ ମେଁ’, ‘ଦେଖା ଏକ୍ ଖ୍ୱାବ୍’, ‘ମୋଲକି ରିସ୍ତୋଁକି ଅଗ୍ନିପରୀକ୍ଷା’, ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ୱୋ ଆପନା ସା’ ଏବଂ ‘ବନ୍ଦିନୀ’ରେ ଆଶିଷ ଅଭିନୟ କରିଛନ୍ତି ।