ମୁୁମ୍ବାଇ: 12th ଫେଲର ଆକ୍ଟର ବିକ୍ରାନ୍ତ ମେସି ନିକଟରେ ଫିଲ୍ମରୁ ବ୍ରେକ ନେଉଥିବା ନେଇ ପୋଷ୍ଟ କରିଥିଲେ । ଏହା ପରେ ତାଙ୍କର ଅଭିନୟ ଜଗତରୁ ଅବସର ନେଉଥିବା ଖବର ଚାରିଆଡେ ପ୍ରଚାର ହୋଇଥିଲା । ଏହା ଗଣମାଧ୍ୟମର ଖବରର ଶିରୋନାମା ପାଲଟିଥିଲା । ସୋମବାର ବିକ୍ରାନ୍ତ ମେସିଙ୍କ ଅବସରର ଚର୍ଚ୍ଚା ଜୋର ଧରିଥିଲା । ଏହା ଶୁଣି ତାଙ୍କ ପ୍ରଶଂସକ ଓ ସମର୍ଥକଙ୍କ ଗହଣରେ ଉଦାସର ମାହୋଲ ରହିଥିଲା । କିନ୍ତୁ ଏହା ଉପରେ ଏବେ ସଫେଇ ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିକ୍ରାନ୍ତ ମେସି ।
ସେ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ଅବସର ନେଉ ନାହିଁ । ମୋତେ ବିଶ୍ରାମର ଆବଶ୍ୟକତା ରହିଛି । ମୁଁ ଥକି ଯାଇଛି ଏବଂ ଲମ୍ବା ବ୍ରେକର ଆବଶ୍ୟକତା ରହିଛି । ମୋର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ । ଲୋକେ ମୋ ଲେଖାକୁ ଭୁଲ୍ ଭାବେ ପଢି ନେଇଥିଲେ ।
କଣ ପୋଷ୍ଟ କରିଥିଲେ ବିକ୍ରାନ୍ତ ମେସି
ବିକ୍ରାନ୍ତ ପୋଷ୍ଟ କରି ଲେଖିଥିଲେ- ଗତ କିଛି ବର୍ଷ ବହୁତ ଭଲ ରହିଛି । ମୋତେ ସମର୍ଥନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ମାତ୍ର ଯେମିତି ମୁଁ ଆଗକୁ ବଢୁଛି, ମୋତେ ଲାଗୁଛି ଏବେ ଘରକୁ ଫେରି ଯିବାର ସମୟ ଆସିଛି ଜଣେ ସ୍ୱାମୀ, ପିତା ଓ ପୁଅ ପରି ଏବଂ ଜଣେ ଅଭିନେତା ଭାବେ ମଧ୍ୟ । ୨୦୨୫ରେ ଆମେ ଶେଷ ଥର ଭେଟିବା ଯେ ପର୍ଯ୍ୟନ୍ତ ଉଚିତ୍ ସମୟ ନ ଆସିଛି । ଶେଷ ଦୁଇଟି ଫିଲ୍ମ ବହୁତ ସ୍ମରଣୀୟ । ଧନ୍ୟବାଦ ।
ସୂଚନାଯୋଗ୍ୟ, ବିକ୍ରାନ୍ତ ମେସିଙ୍କ ଫିଲ୍ମ ଦ ସାବରମତୀ ରିପୋର୍ଟ ସଂପ୍ରତି ସିନେମା ଘରେ ଚାଲିଛି । ଫିଲ୍ମକୁ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ମିଳୁଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ଏହି ଫିଲ୍ମ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଫିଲ୍ମ ଗୋଧ୍ରା କାଣ୍ଡକୁ ନେଇ ନିର୍ମାଣ ହୋଇଛି । ଏକତା କପୁର ଫିଲ୍ମର ନିର୍ମାତା ଥିବୋ ବେଳେ ରଶି ଖନ୍ନା ଓ ରିଦ୍ଧି ଡୋଗ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।