ଦୀପାବଳି ଅବସରରେ ରିଲିଜ୍ ହୋଇଛି ବଲିଉଡ୍ ର ଭାଇଜାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ଫିଲ୍ମ 'ଟାଇଗର 3'। ଯାହା ରିଲିଜ ହେବାପରେ ବଡ଼ ପରଦାରେ ହଇଚଇ ସୃଷ୍ଟି କରିଦେଇଛି । ଏହି ଫିଲ୍ମଟି ପ୍ରଥମ ଦିନରେ ୪୪ କୋଟିରୁ ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛି । ରିଲିଜ ଦିନ ଠାରୁ ହିଁ ପ୍ରେକ୍ଷାଳୟ ଗୁଡ଼ିକରେ ପ୍ରଶଂସକମାନଙ୍କର ଜବରଦସ୍ତ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।
ହେଲେ ଏଥି ମଧ୍ୟରେ ମହାରାଷ୍ଟ୍ରର ମାଲେଗାଓଁର ମୋହନ ସିନେମା ହଲ୍ ରେ ଟାଇଗର ୩ ଦେଖୁଥିବା ଫ୍ୟାନ୍ସମାନେ ଫିଲ୍ମ ଚାଲିଥିବା ବେଳେ ଥିଏଟରରେ ବାଣ ଫୁଟାଇଥିଲେ । ଏଥିରେ ଭୟବିତ ହୋଇ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକମାନେ ବିକଳରେ ଦୌଡି ହଲ ରୁ ବାହାରି ଯାଇଥିଲେ ।
ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'ଟାଇଗର 3' ଗୋଟିଏ। ଦର୍ଶକଙ୍କ ମଧ୍ୟରେ ଏହାର ଜବରଦସ୍ତ କ୍ରେଜ ମଧ୍ୟ ଦେଖିବାକୁ ମିଳିଛି । ଫ୍ୟାନ୍ସ ମାନେ ସଲମାନଙ୍କ ଏଣ୍ଟ୍ରିରେ ଏପରି ମତୁଆଲା ହୋଇଯାଇଥିଲେ ଯେ ସିନେମା ହଲ୍ ଭିତରେ ବାଣ ଫୁଟାଇ ସେଲିବ୍ରେଟ କରିଥିଲେ । ଫଳରେ ଅନେକ ଦର୍ଶକ ଡରିବା ସହ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକରେ, ପ୍ରଶଂସକମାନେ ହ୍ୱିସିଲ୍ ମାରିବ ସହିତ ଫିଲ୍ମର ମଜା ନେଉଥିବାର ଦେଖାଯାଉଛନ୍ତି ।
ପରେ ଏହି ଘଟଣାରେ ପୋଲିସ ୨ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ତେବେ ଏହି ଘଟଣାକୁ ନେଇ ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାକୁ ନେଇ ସଲମାନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ମୁଁ ଟାଇଗର 3ର ସ୍କ୍ରିନିଂ ସମୟରେ ଥିଏଟରରେ ବାଣ ଫୁଟାଇବା ବିଷୟରେ ଶୁଣିଛି, ଏହା ଅତ୍ୟନ୍ତ ବିପଦଜନକ । ନିଜକୁ କିମ୍ବା ଅନ୍ୟ କାହାକୁ ବିପଦରେ ନ ପକାଇ ଫିଲ୍ମକୁ ଉପଭୋଗ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।