ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ଫାଇନାଲରେ ପଞ୍ଜାବ କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠୁ ପରାଜିତ ହୋଇଛି । ଏଥିସହ ଦଳ ଦଳର ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଏହି ପରାଜୟ ପରେ ଦଳର ସହ ମାଲିକାଣୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ଦଳର ସପୋର୍ଟ ଷ୍ଟାଫ ଏବଂ ପ୍ରଶଂସକଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆସନ୍ତା ବର୍ଷ ତାଙ୍କ ଦଳ ଟ୍ରଫି ଜିତିବା ପାଇଁ ନିଶ୍ଚୟ ଫେରିବ ।
ପ୍ରୀତି ଇନଷ୍ଟାଗ୍ରାମରେ ଦଳର ଏକ ଫଟୋ ସେୟାର କରି ଲେଖିଛନ୍ତି, ଯେମିତି ଆମେ ଚାହୁଁଥିଲୁ ସେମିତି ଅନ୍ତ ଘଟିଲା ନାହିଁ । କିନ୍ତୁ ଅଭିଯାନ ଆମର ବହୁତ ଦମଦାର ରହିଥିଲା । ଏହା ଏକ ରୋମାଞ୍ଚକ, ପ୍ରେରଣାଦାୟକ ଓ ମନରୋଞ୍ଜନ ସିଜିନ ଥିଲା । ମୁଁ ଗର୍ବିତ ଯେ, ଆମର ଯୁବ ଦଳ, ଆମର ସିଂମାନେ ଯେମିତି ପୂରା ଟୁର୍ଣ୍ଣାମେଣ୍ଟରେ ଲଢିଲେ ତାହା ବାସ୍ତବରେ ପ୍ରଶଂସନୀୟ ।
ସେ ନିଜ ଦଳର ଅଧିନାୟକ ଶ୍ରେୟସ ଆୟରଙ୍କୁ ସରପଞ୍ଚ ସମ୍ବୋଧିତ କରି ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଏଥିସହ ନିଜର ଅନକ୍ୟାପଡ ଖେଳାଳିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ପୂରା ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି ।
ପ୍ରୀତି ଏହି ସିଜିନର ମୁସ୍କିଲକୁ ମଧ୍ୟ ମନେ ପକାଇଛନ୍ତି, ଯେଉଁଥିରେ ଖେଳାଳିଙ୍କ ଆହତ, ଅନ୍ତର୍ଜାତୀୟ ଡ୍ୟୁଟି, ଟୁର୍ଣ୍ଣାମେଣ୍ଟ ଅଚାନକ ସ୍ଥଗିତ ହେବା, ହୋମ ଗ୍ରାଉଣ୍ଡ ବଦଳାଇବା ଓ ଷ୍ଟାଡିୟମ ଖାଲି କରାଯିବା ଆଦି ସାମିଲ ଥିଲା । ସେ କହିଛନ୍ତି, ଆମେ ସବୁ ଚ୍ୟାଲେଞ୍ଜକୁ ଦୃଢତାର ସହ ସାମ୍ନା କରିଛୁ ଏବଂ ଏକ ଦଶନ୍ଧି ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ସ୍ଥାନ ହାସଲ କଲୁ । ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବା କୌଣସି ବିଜୟଠୁ କମ ନୁହେଁ ।