ମୁମ୍ବାଇ: ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନୁପମ ଖେର ଏବଂ ଅମିତାଭ ବଚ୍ଚନଙ୍କ ପରି ଅନେକ ଷ୍ଟାର ଦେଶକୁ ସମର୍ଥନ କରିଥିବା ବେଳେ, ଅନେକ ବଡ ଷ୍ଟାର ନୀରବତା ବଜାୟ ରଖିଛନ୍ତି। ବଲିଉଡର ନୀରବତା ମଧ୍ୟରେ, ମମତା କୁଲକର୍ଣ୍ଣି ପାକିସ୍ତାନ ଏବଂ ମୁସଲମାନମାନଙ୍କ ଉପରେ ଏକ ବୟାନ ଦେଇ ଏକ ନୂତନ ବିତର୍କକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀରୁ ସାଧ୍ୱୀ ପାଲଟିଥିବା ମମତା କୁଲକର୍ଣ୍ଣିଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଅପରେସନ ସିନ୍ଦୁର ଏବଂ ଦେଶର ମୁସଲମାନମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେ ମୁସଲମାନମାନଙ୍କୁ ଭଲ ପାଆନ୍ତି। ମୁସଲମାନମାନେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି।
ମମତା କୁଲକର୍ଣ୍ଣିଙ୍କୁ ପ୍ରୟାଗରାଜର ମହାକୁମ୍ଭରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ପରେ ସେ ଏହି ପଦବୀରୁ ଇସ୍ତଫା ଦେଇ ପୁଣି ଥରେ ମହାମଣ୍ଡଳେଶ୍ୱର ପଦବୀ ଗ୍ରହଣ କରିଥିଲେ। ଏକ ଜାତୀୟ ଗଣ ମାଧ୍ୟମକୁ ସେ କହିଛନ୍ତି ଯେ, ମୁସଲମାନମାନେ ମୋତେ ବହୁତ ଭଲ ପାଇଛନ୍ତି। ଯେତେବେଳେ ମୁଁ ବଲିଉଡର ସୁପରଷ୍ଟାର ଥିଲି, ମୋତେ ପାକିସ୍ତାନରୁ ପ୍ରତିଦିନ ୫୦- ୫୦ ଚିଠି ଆସୁଥିଲା। ମୁଁ ମୁସଲମାନମାନଙ୍କୁ ଭଲ ପାଏ, କିନ୍ତୁ ମୁଁ ଆତଙ୍କବାଦକୁ ଭଲ ପାଏ ନାହିଁ।
ଅଭିନେତ୍ରୀ ତଥା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମମତା କୁଲକର୍ଣ୍ଣି ଶୁକ୍ରବାର ଦିନ ଅପରେସନ ସିନ୍ଦୂର ବିଷୟରେ କହିବା ସମୟରେ ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଥିଲେ ଯେ ଯଦି ସେ ପ୍ରମାଣ ଚାହାଁନ୍ତି, ତେବେ ତାଙ୍କୁ ୧୦ ଦିନ ପାଇଁ ପାକିସ୍ତାନ ଯାଆନ୍ତୁ। ନିଜେ ଦେଖନ୍ତୁ ସେମାନଙ୍କର ଅବସ୍ଥା କ'ଣ। ଭାରତକୁ ଯାହା କରିବାର ଥିଲା, ସେମାନେ ତାହା କରିଛନ୍ତି।
ଏହା ସହିତ, ସେ କଂଗ୍ରେସ ନେତା ଶଶି ଥରୁରଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ ଭଲ ବ୍ୟକ୍ତି। ମମତା ଏହା ମଧ୍ୟ କହିଥିଲେ ଯେ ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଉଦ୍ଦେଶ୍ୟ କିମ୍ବା ଯୋଜନା ନାହିଁ।