ସରିଲା ଏକାମ୍ର ଉତ୍ସବ । ୭ ଦିନ ଧରି ଚାଲିଥିବା ଏକାମ୍ର ଉତ୍ସବ କାଲି ଶେଷ ହୋଇଥିବା ବେଳେ ଶେଷ ସନ୍ଧ୍ୟାରେ ଚାର ଚାନ୍ଦ ଲଗେଇଛନ୍ତି ବଲିଉଡ୍ ର ବେଶ ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ । ତାଙ୍କୁ ଦେଖିବା ପାଇଁ ଏକାମ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ ତାଙ୍କ ଗୀତର ସ୍ୱରରେ ଝୁମିବାରେ ଆରମ୍ଭ କରିଥିଲେ । ଷ୍ଟେଜରେ ଜୁବିନ ଓଡ଼ିଆ ଓ ଅନେକ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ।
ଅନେକ ହିନ୍ଦୀ ଗୀତ ଗାଇବା ପରେ ଶେଷରେ ଜଗନ୍ନାଥଙ୍କୁ ସମର୍ପିତ 'ତୁମେ ଚାହିଁଲ ବୋଲି ଚକାଆଖି' ଗାଇ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ପରେ ପରେ 'ରାମ ଆୟେଙ୍ଗେ' ଗାଇ ଲାଇଭ ବ୍ୟାଣ୍ଡର ପ୍ରଦର୍ଶନକୁ ଶେଷ କରିଥିଲେ । ଶେଷ ସନ୍ଧ୍ୟାରେ ଜୁବିନଙ୍କ ପୂର୍ବରୁ ଶେଷ ସନ୍ଧ୍ୟାରେ ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଶୁଭାଶିଷ ଅନେକ ହିଟ୍ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହାପରେ ଆଜି ଜୁବିନ ଜଗା ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ର ପହଞ୍ଚିଥିଲେ । ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ଜୁବିନ । ପରେ ସେ ପୁରୀର ସମୁଦ୍ର କୂଳକୁ ଯାଇ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଦେଖିଥିଲେ ।